ଛୋଟ ଛୋଟ ମାମଲାରେ ଜେଲ ଯନ୍ତ୍ରଣା ଭୋଗୁଛନ୍ତି ଗରିବ ଲୋକ। ସମ୍ବିଧାନ ଦିବସ ସମାରୋହରେ ମନ ଛୁଇଁଲା ମହାମହିମଙ୍କ ଉଦବୋଧନ। 

152

କନକ ବ୍ୟୁରୋ: ଦେଶର ବିଭିନ୍ନ ଜେଲରେ ଯେତିକି କ୍ଷମତା ରହିଛି, ତା’ଠାରୁ ୩୦ ପ୍ରତିଶତ ଅଧିକ କଏଦୀ ଜେଲରେ ରହିଛନ୍ତି । ସ୍ଥିତି ଏପରି ହୋଇଛି ଯେ ଜେଲ ସଂଖ୍ୟା ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି ସରକାର । ତେବେ ସମ୍ବିଧାନ ଦିବସ ସମାରୋହରେ କ୍ଷୋଭ ପ୍ରକାଶ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଏ କେଉଁ ଭଳି ବିକାଶ, ଆମେ ଅଧିକ ସଂଖ୍ୟକ ଜେଲ କରିବାକୁ ଚାହୁଁଛୁ । ବରଂ ଯେଉଁ ଗରିବ ଲୋକ ଛୋଟ ଛୋଟ ମାମଲାରେ ବର୍ଷ ବର୍ଷ ଧରି ଜେଲର ଚାରିକାନ୍ଥ ଭିତରେ ଦିନ କାଟୁଛି, ସେ ସଂପର୍କରେ ଚିନ୍ତା କରିବାର ସମୟ ଆସିଛି ।

ସମ୍ବିଧାନ ଦିବସ ସମାରୋହରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼, ଆଇନ ମନ୍ତ୍ରୀଙ୍କ ସମେତ ବରିଷ୍ଠ ବିଚାରପତି, ସମ୍ବିଧାନ ବିଶେଷଜ୍ଞ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଭାବବିହ୍ୱଳ ଅଭିଭାଷଣ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରି ଦେଇଥିଲା, ସମସ୍ତେ ଛିଡ଼ାହୋଇ ତାଳି ମାରିଥିଲେ । ଅତି ଭାବୁକ ଅନ୍ଦାଜରେ ଦ୍ରୌପଦୀ ମୁର୍ମୁ କହିଛନ୍ତି, ଜେଲରେ ରହିଥିବା ଲୋକଙ୍କ ସମ୍ପର୍କରେ ଭାବନ୍ତୁ, ଯେଉଁମାନେ କାହାକୁ ଚାପୁଡ଼ା ମାରି ବର୍ଷ ବର୍ଷ ଧରି ଜେଲରେ ଦିନ କାଟୁଛନ୍ତି । କିପରି ଏହି ସମସ୍ୟା ଦୂର ହେବ, ସମସ୍ତଙ୍କୁ ଚିନ୍ତା କରିବାକୁ ସେ ଆହ୍ୱାନ ଦେଇଥିଲେ ।

ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏ.ଏସ.ଏନ. ନାଇଡୁ କହିଛନ୍ତି, ରାଷ୍ଟ୍ରପତିଙ୍କ କଥା ଅନେକଙ୍କ ହୃଦୟକୁ ଛୁଇଁଛି । କିନ୍ତୁ ଅପରାଧ ବଢୁଥିବାରୁ ଜେଲରେ ଅପରାଧୀଙ୍କ ସଂଖ୍ୟା ବଢୁଛି । ପୁଲିସର ତଦନ୍ତ ଠିକ ଭାବେ ହେଉନଥିବାରୁ ଅଭିଯୁକ୍ତଙ୍କୁ ଜେଲ ପଠାଇବାକୁ ପଡୁଛି ।

ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ବା ଏନ୍ସିଆରବି-୨୦୨୧ ରିପୋର୍ଟ ଉପରେ ନଜର ପକାନ୍ତୁ …

ପ୍ରତି ୧୦ ଜଣ କଏଦୀଙ୍କ ମଧ୍ୟରୁ ପ୍ରାୟ ୮ ଜଣ ବିଚାରଧୀନ କଏଦୀ

୫ ଲକ୍ଷ ୫୦ ହଜାର କଏଦୀଙ୍କ ମଧ୍ୟରୁ ବିଚାରଧୀନ କଏଦୀ ୪ ଲକ୍ଷ ୨୭ ହଜାର

୨ ଲକ୍ଷରୁ ଅଧିକ ବିଚାରଧୀନ କଏଦୀ ୨ ବର୍ଷରୁ ଅଧିକ ସମୟ ଜେଲରେ କାଟି ସାରିଲେଣି

ସେଥିରୁ ୨୪ ହଜାର କଏଦୀ ପାଖାପାଖି ୫ ବର୍ଷ ଜେଲରେ ରହିଲେଣି

ନା’ ଏମାନଙ୍କ ବିଚାର ସରୁଛି, ନା ସେମାନେ ଜେଲରୁ ବାହାରି ପାରୁଛନ୍ତି