କମୁଛି ପାରଦ ବଢୁଛି ଶିତ, ସରଗରମ ହେଉଛି ଶିତବସ୍ତ୍ର ବ୍ୟବସାୟ

243

କନକ ବ୍ୟୁରୋ : ସାରା ରାଜ୍ୟକୁ ଛୁଇଁଲାଣି ମାର୍ଗଶିରର ଶୀତ । ପାରଦସ୍ତର ମଧ୍ୟ କ୍ରମସଃ ଖସିବା ଆରମ୍ଭ କଲାଣି । ତେଣୁ ଶୀତ ସହ ତାଳ ଦେଇ ଶୀତବସ୍ତ୍ର ବଜାର ମଧ୍ୟ ସରଗରମ ହେଲାଣି । ରାସ୍ତାକଡରୁ ଆରମ୍ଭ କରି ମଲ ପର୍ଯ୍ୟନ୍ତ ସବୁଠି ପାରମ୍ପାରିକ ଶୀତବସ୍ତ୍ର ସାଙ୍ଗକୁ ଷ୍ଟାଇଲିସ୍ ଶୀତ ବସ୍ତ୍ର ସମ୍ଭାର ଦେଖିବାକୁ ମିଳିଲାଣି । ମନପସନ୍ଦର ଶୀତ ପୋଷାକ କିଣିବାକୁ ଗ୍ରାହକ ମାନେ ବି ଭିଡ଼ ଜମାଇଲେଣି । କଟକ କାଠଯୋଡ଼ି କୂଳେ ଖୋଲା ପଡିଆରେ ପଡିଥିବା ରାଜସ୍ତାନୀ ୱିଂଟର ମାର୍କେଟରେ ସଂଧ୍ୟା ହେଲେ ଜମୁଛି ଭିଡ । ଏଠାରେ ରଙ୍ଗବେରଙ୍ଗର ହୁଡ୍ଡି, ଉଲ୍ ଗଂଜି, ଲଙ୍ଗ ସ୍ୱେଟର, ସର୍ଟ ସ୍ୱେଟର, ଜ୍ୟାକେଟ୍, ବ୍ଲାଙ୍କେଟ୍ ଆଦି ବିକ୍ରି ହେଉଥିବା ବେଳେ ଏହାକୁ କିଣିବାକୁ ଜମୁଛି ଗହଳି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ପାଇଁ ଗୋଟିଏ ସ୍ଥାନରେ ବିଭିନ୍ନ ଭେରାଇଟିର ଶୀତ ପୋଷାକ ମିଳୁଥିବାରୁ ଖୁସି ପ୍ରକାଶ କରିଛନ୍ତି ଗ୍ରାହକ ।

ବ୍ୟବସାୟୀକ ପେଣ୍ଠସ୍ଥଳ କଟକ । ଶୀତ ଆସିଲେ ଏହି ସହରରେ ଜମେ ଶୀତବସ୍ତ୍ର ବ୍ୟବସାୟ । ତେବେ ଏହି ବ୍ୟବସାୟ ପାଇଁ ସୁଦୂର ରାଜସ୍ଥାନର ଗୋଟିଏ ଗାଁର ପୁରା ପରିବାର ପ୍ରତିବର୍ଷ ବ୍ୟବସାୟ ପାଇଁ କଟକ ଆସୁଛନ୍ତି । କଟକରେ ଭଲ ବେପାର ହେଉଥିବା କହିଛନ୍ତି ବ୍ୟବସାୟୀ ।

ଆଗକୁ ଶୀତ ଯେତିକି ବଢିବ କଟକ କାଠଯୋଡି ନଦୀ କୂଳରେ ଥିବା ଏହି ୱିଂଟର ମାର୍କେଟରେ ଗ୍ରାହକଙ୍କ ଆହୁରି ଭିଡ ଜମିବ । ରାଜସ୍ଥାନରୁ ଆସିଥିବା ଏହି ଶୀତ ବସ୍ତ୍ର ବ୍ୟବସାୟୀଙ୍କ ପାଇଁ ରୋଜଗାର ଆଣିଦେବ ବୋଲି ଆଶା ରହିଛି ।