ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ : ଆଜିଠୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

298

କନକ ବ୍ୟୁରୋ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ଆଜିଠୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନାର ଆକଳନ କରାଯାଇଛି । ୧୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ଆଜି ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ ।

ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସକରାର । ବନ୍ୟା ପରିସ୍ଥିତି, ଭୂସ୍ଖଳନ ଭଳି ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଜୁନ ୧୦ରୁ ଅର୍ଥାତ କାଲିଠାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବନୁମାନ କରାଯାଇଛି । ଆଜି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡିକ ହେଲା – ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେଉଁଝର, ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ତେବେ ୧୧ ତାରିଖ ଦିନ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରିଛି ଆଇଏମଡି ।

ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଏହି ଜିଲ୍ଲାଗୁଡିକ ହେଲା – କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନଗୁଳ, ଢେଙ୍କାନାଳ ଓ ସମ୍ବଲପୁର । ସେହି ୧୧ ତାରିଖରେ ୧୬ ଟି ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ବିଶେଷ କରି ଉତର ଓ ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ତେବେ ୧୨ ତାରିଖରେ ବର୍ଷା ଆହୁରି ବଢ଼ିବା ଆଶଙ୍କା ରହିଛି ।