୩୫ ବର୍ଷ ପୂର୍ବେ ବିଦେଶରେ ଭାରତ ରଚିଥିଲା ଇତିହାସ । ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ହାସଲ କରଥିଲା ପ୍ରଥମ ବିଜୟ 

151

କନକ ବ୍ୟୁରୋ: କ୍ରିକେଟ ଇତିହାସ କଥା ଯେତେବେଳେ ସାମ୍ନାକୁ ଆସେ, ସେତେବେଳେ ଟିମ ଇଣ୍ଡିଆର ଅନେକ ରେକର୍ଡ କଥା ମନେପଡିଥାଏ । କିଭଳି ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଥିଲା । ଆଉ ଏବେ ସେହି ଟିମ ଇଣ୍ଡିଆ ଟେଷ୍ଟ କ୍ରିକେଟରେ ରାଜ କରୁଛି । ବିଶ୍ୱର ୧ ନମ୍ବର ଟେଷ୍ଟ ଟିମ ଭାବେ ଛିଡା ହୋଇଛି । ଆଉ ଆଜି ଆମେ ଆଲୋଚନା କରିବା ସେମିତି ଏକ ରେକର୍ଡ ବିଷୟରେ ।

ଜୁନ ୧୦ ତାରିଖ ଏହି ଦିନ ପ୍ରତିଟି ଭାରତୀୟଙ୍କ ପାଇଁ ଖାସ ଦିନ । କାରଣ ଏହି ଦିନ ଭାରତ ପ୍ରଥମ ଥର ପାଇଁ ଲର୍ଡସ କ୍ରିକେଟ ଗ୍ରାଉଣ୍ଡର ବିଜୟ ହାସଲ କରିଥିଲା । ଇଂଲଣ୍ଡର ଛାତି ଉପରେ ଛିଡା ହୋଇ ପ୍ରଥମଥର ପାଇଁ ନିଜ ମାଟିରେ ଇଂଲଣ୍ଡକୁ ହରାଇବାରେ ସଫଳ ହୋଇଥିଲା ଭାରତ । ଆଉ ସେତେବେଳେ ଏହି ମ୍ୟାଚର ହିରୋ ଥାନ୍ତି କପିଳ ଦେବ, ଚେତନ ଶର୍ମା ଓ ଦିଲ୍ଲୀପ ଭେଙ୍ଗସରକାର ।

ତେବେ ଆସନ୍ତୁ ଆଜି ମନେପକାଇବା ସେହି ସ୍ମରଣୀୟ ମ୍ୟାଚକୁ ।

୫ ଜୁନ ୧୯୮୬ ମସିହା । ଇଂଲଣ୍ଡର ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥାଏ ଆରମ୍ଭ ହୋଇଥାଏ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ୩ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଏହା ଥାଏ ପ୍ରଥମ ମ୍ୟାଚ । ଏହି ମ୍ୟଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତୀୟ ଦଳ । ଆଉ ପ୍ରଥମେ ବ୍ୟାଟିଂ ଆସିଥିବା ଇଂଲଣ୍ଡ ଦଳକୁ ଚିନ୍ତାରେ ପକାଇ ଦେଇଥିଲେ ଚେତନ ଶର୍ମା । ଗୋଟିଏ ପରେ ଗୋଟିଏ  ୱିକେଟ ନେଇ ଇଂଲଣ୍ଡ ଦଳକୁ ଧରାଶାୟୀ କରିଦେଇଥିଲେ । ହେଲେ ଗ୍ରାହମ ଗୋଚ ଡେର୍କ ପ୍ରିଙ୍ଗଲଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଇଂଲଣ୍ଡ ୨୯୪ ରନ କରିବାରେ ସଫଳ ହୋଇଥିଲା ।

ଭାରତ ମଧ୍ୟ ତାର ପ୍ରଥମ ଇଂନିସରେ ଦମଦାର ବ୍ୟାଟିଂ କରିଥିଲା । ଭେଙ୍କସରକାରଙ୍କ ଶତକ, ମହିନ୍ଦ୍ର ଅମରନାଥଙ୍କ ଅର୍ଦ୍ଧଶତକ ବଳରେ ଭାରତ ତାର ପ୍ରଥମ ଇଂନିସରେ ୩୪୧ ରନର ବିଶାଳ ସ୍କୋର କରିଥିଲା । ଇଂଲଣ୍ଡ ତାର ଦ୍ୱିତୀୟ ଇଂନିସରେ ମଧ୍ୟ ବିଫଳ ହୋଇଥିଲା । କପିଳ ଦେବ ଚମତ୍କାର ବୋଲିଂ କରି ଇଂଲଣ୍ଡ ଟିମକୁ ୧୮୦ ରନରେ ଅଲଆଉଟ କରିେଦେଇଥିଲେ ।

ଜୁନ ୧୦ ତାରିଖ ମ୍ୟାଚର ଶେଷ ତାରିଖ । ଇତିହାସ ରଚିବାର ସେହି ଦିନ ଆସି ପହଞ୍ଚିସାରି ଥିଲା । ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇ ସାରିଥିଲା ଟିମ ଇଣ୍ଡିଆ । ସହଜ ବିଜୟ ଲକ୍ଷ୍ୟ ଥିବାରୁ ଭାରତ ଏହି ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା । ଆଉ ପ୍ରଥମ ଥର ପାଇଁ ଲର୍ଡସରେ ଇଂଲଣ୍ଡକୁ ମାତ ଦେଇଥିଲା ଭାରତ ।

ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳି ଇଂଲଣ୍ଡକୁ ହରାଇବା ଏତେ ସହଜ ନଥିଲା ଭାରତ ପାଇଁ । କାରଣ ଲର୍ଡସରେ ଇଂଲଣ୍ଡର ବହୁତ ବଡ ବଡ ରେକର୍ଡ ରହିଛି । ହେଲେ ଭାରତ ଏସବକୁ ଫିକା ପକାଇ ଦେଇଥିଲା । ଏହା ପୂର୍ବରୁ ଭାରତ ଲର୍ଡସରେ ୧୦ଟି ଟେଷ୍ଟ ମ୍ୟାଚ ଖେଳିଥିଲେ ହେଲେ ଏଥିରେ ବିଜୟୀ ହୋଇ ପାରିନଥିଲା ।