କନକ ବ୍ୟୁରୋ : କିଏ କହୁଛି ସତ । କରୋନା ମୃତ୍ୟୁକୁ ନେଇ ରାଜ୍ୟ ସରକାର ଦେଉଥିବା ତଥ୍ୟ ଏବଂ ଜିଲ୍ଲା ପ୍ରଶାସନ ଦେଇଥିବା ତଥ୍ୟ ଭିତରେ ରହୁନି ତାଳମେଳ । ଏଭଳି ଏକ ଚାଂଚଲ୍ୟ ଖବର ଆସିଛି ନୟାଗଡ଼ ଜିଲ୍ଲାରୁ । ରାଜ୍ୟ ସରକାର ଦେଇଥିବା ସଂଖ୍ୟାଠାରୁ ୧୦ ଗୁଣ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ରିପୋର୍ଟ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାରେ ସ୍ବାମୀଙ୍କୁ ହରାଇଥିବା ମହିଳାଙ୍କୁ ଭତ୍ତା ପ୍ରଦାନ ସମେତ ଅନାଥ ହୋଇଥିବା ଶିଶୁଙ୍କୁ ଥଇଥାନ କରିବା ନେଇ ଘୋଷଣା କରିଛନ୍ତି । ଏନେଇ କରୋନା ମୃତକଙ୍କ ବାବଦରେ ତଥ୍ୟ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ନୟାଗଡ଼ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ନୟାଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡ୍ ହସ୍ପିଟାଲରେ କରୋନାର ଦ୍ବିତୀୟ ଲହରରେ ୧୧୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେଥିମଧ୍ୟରୁ ୯୬ ଜଣ ନୟାଗଡ଼ ଜିଲ୍ଲାର ଓ ଅବଶିଷ୍ଟ ୨୧ ଜଣ ଖୋର୍ଦ୍ଧା ଜିଲ୍ଲାର ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ତଥ୍ୟ ପ୍ରଦାନ କରାଯାଇଛି ।
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୟାଗଡ଼ ଜିଲ୍ଲାରେ କରୋନାରେ ମୋଟ୍ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଥମ ଲହରରେ ୪୫ ଜଣ ଓ ଦ୍ବିତୀୟ ଲହରରେ ୯ ଜଣ ପ୍ରାଣ ହରାଇଥିବା ଘୋଷଣା କରାଯାଇଛି । ଭତ୍ତା କିମ୍ବା ଥଇଥାନ ପାଇଁ ପ୍ରସ୍ତୁତ ହୋଇଥିବା ତାଲିକା ଏବଂ ରାଜ୍ୟ ସରକାରଙ୍କ ମୃତ୍ୟୁ ସଂଖ୍ୟାର ତଥ୍ୟ ଭିତରେ ତାଳମେଳକୁ ନେଇ ଏବେ ବଡ଼ ଧରଣର ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି ।
କରୋନାରେ ସ୍ବାମୀଙ୍କୁ ହରାଇ ବିଧବା ହୋଇଥିବା ମହିଳା, ଅନାଥ ପିଲାଙ୍କ ଲାଗି ଭତ୍ତା ଯୋଜନା କରୋନା ମୃତ୍ୟୁ ଲୁଚାଇବା ରହସ୍ୟକୁ ଏକରକମ ପଦାରେ ପକାଇ ଦେଇଛି । ଏ ବାବଦରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ ସାହୁଙ୍କୁ ପଚାରିବାରୁ, ସିଡିଏମ୍ଓ ୯୬ ଜଣ କରୋନା ମୃତକଙ୍କ ତାଲିକା ଦେଇଥିବା କହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଲୋକଙ୍କୁ ବାଦ୍ ଦେଇ ବାକି ସମସ୍ତ ମୃତକଙ୍କ ତଥ୍ୟ ତହସିଲ କାର୍ଯ୍ୟାଳୟକୁ ଯୋଗାଇ ଦିଆଯାଇଛି । ସେମାନେ ଭତ୍ତା ନିମନ୍ତେ ହିତାଧିକାରୀ ଚୟନ କରିବେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରସାଦ ମିଶ୍ର ମଧ୍ୟ ୯୬ ମୃତ୍ୟୁ କଥାକୁ ସ୍ବୀକାର କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଦ୍ବିତୀୟ ଲହରରେ ନୟାଗଡ଼ ଜିଲ୍ଲାରୁ ମାତ୍ର ୯ ଜଣ ମୃତ୍ୟୁ ଘୋଷଣା ସମ୍ପର୍କରେ ଶ୍ରୀ ମିଶ୍ର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆମେ ରାଜ୍ୟ ସରକାରଙ୍କୁ ୯ଟି ମୃତ୍ୟୁ ବାବଦରେ ଅଡିଟ୍ କରି ରିପୋର୍ଟ ଦେଇଛୁ ।