ଜନ୍ମରୁ ଖାଇ ନାହାନ୍ତି ଭାତ, ତରକାରୀ: ୨୧ ବର୍ଷ ହେବ ଚୁଡ଼ା, ମୁଢ଼ିରେ କଟୁଛି କିଶୋର ସଗରିଆଙ୍କ ଜୀବନ

337

କନକ ବ୍ୟୁରୋ: ପିଲାଟି ଦିନରୁ ଭାତକୁ ଦେଖିଲେ ଭୟ । ପରିବାର ଠାରୁ ଆରମ୍ଭ କରି ଗାଁ ଲୋକେ ଯାଏଁ ସମସ୍ତେ ଚେଷ୍ଟା କଲେ । ହେଲେ ମଧ୍ୟ ଖାଇଲାନି ପୁଅ । ପୁଅ ର ଭାତ ପ୍ରତି ଥିବା ଭୟକୁ ନେଇ ଚିନ୍ତା କଲେ ପରିବାର ଲୋକେ । ଧିରେ ଧିରେ ଭାତକୁ ଭୁଲି ମୁଢି , ଚୁଡାରେ ରୁଚି ଲଗାଇ ହୋଇଗଲା ୨୧ ବର୍ଷ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗାଁ ର ଯୁବକ କିଶୋର । ଜନ୍ମ ହେବା ପର ଠୁ ଆଉ ଭାତ କିମ୍ବା ତରକାରୀ ଖାଇନି । ମୁଢି , ଚୁଡା ଖାଇ ବଂଚି ଏବେ ୨୧ ବର୍ଷ ପୂରିଲାନି । ଏପଟେ ଡାକ୍ତର କିନ୍ତୁ କିଶୋରଙ୍କ ପ୍ରତି ଏଭଳି ସ୍ୱାଭାବ କୁ ନେଇ ଦେହର ସ୍ୱାସ୍ଥ୍ୟ ବିଗିଡିଯିବା ମତ ଦେଇଛନ୍ତି ।

କିଶୋର ସଗରିଆ । ବୟସ ୨୧ ଛୁଇଁଲାଣି । ମାଲକାନଗିିରି ମାଥିଲି ବ୍ଲକ ପାତ୍ରପୁଟ ଗାଁର ପାର୍ବତୀ ଓ ମାନ ସଗରିଆଙ୍କ ପୁଅ । ହେଲେ ଆଶ୍ଚର୍ଯ୍ୟର କଥା ଜନ୍ମ ହେବା ପରଠୁ ଏପର୍ଯ୍ୟନ୍ତ କିଶୋର ଭାତ କିମ୍ବା ତରକାରୀ କେବେ ଖାଇନାହାନ୍ତି । ବୟସ ବଢ଼ିବା ସାଙ୍ଗକୁ ଭାତ, ତରକାରୀ ପ୍ରତି ଥିବା ଅରୁଚି ଭାବ ମଧ୍ୟ ବଢ଼ିବାର ଲାଗିଥିଲା । ପିଲାଟି ବେଳରୁ ଭାତ ପ୍ରତି ତାଙ୍କର ଆଗ୍ରହ ନଥିଲା । ପରିବାର ଲୋକ ଅନେକ ଚେଷ୍ଟା କରିଥିଲେ କିଶୋରଙ୍କୁ ଭାତ ଖୁଆଇବାକୁ ସଫଳ ହୋଇନଥିଲେ । କିଶୋରଙ୍କ ଏପରି ସ୍ୱଭାବ ଦେଖି ଚିନ୍ତାରେ ପଡ଼ିଥିଲେ ପରିବାର । ପିଲାଟି ବେଳରୁ ମୁଢି , ଚୁଢା ପ୍ରତି କିଶୋରଙ୍କ ରୁଚି ଆସିଥିଲା । ଏବେ ୨୧ ବର୍ଷ ଯାଏଁ ମୁଢି, ଚୁଡା ଖାଇ ଦିନ ବିତାଉଛି କିଶୋର । ସାଧାରଣ ଭାବେ ରହିଥିବାବେଳେ ଶରୀରରେ କୌଣସି ସମସ୍ୟା ଆସିନଥିବା ସେ କହିଛନ୍ତି । ଭାତ ଖାଇବା ଲୋକେ ଯେପରି ରୁହନ୍ତି ସେ ମଧ୍ୟ ମୁଢି , ଚୁଡା ଖାଇ ସେପରି ଥିବା କହିଛନ୍ତି ।

କିଶୋରଙ୍କ ଭାତରେ ତ ରୁଚି ନୁହେଁ କିନ୍ତୁ ପାଠପଢା ପ୍ରତି ବେଶ ଆଗ୍ରହ । ପିଲାଟି ଦିନରୁ ପାଠକୁ ନେଇ ବେଶ ଆଗ୍ରହୀ । ବାପା ଚାଲିଯିବା ପରେ ପରେ ନିଜେ ପରିବାର ଚଳାଇବାର ଦାୟିତ୍ୱ ନେଇଛନ୍ତି କିଶୋର । ନିଜେ ରୋଜଗାର କରି ଗୋବିନ୍ଦପାଲି ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ ସ୍ନାତକ ଶେଷ କରିଛନ୍ତି । ଏପଟେ ୨ ଭାଇଭଉଣୀଙ୍କୁ ମଧ୍ୟ ପାଠ ପଢାଉଛନ୍ତି । କିନ୍ତୁ ମୁଢି , ଚୁଡା ଖାଇ ୨୧ ବର୍ଷ ରହିବା କଥା କୁ ସାଧାରଣରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାଥିଲି ଉପଖଣ୍ଡର ଭାରପ୍ରାପ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି, ପିଲାଟି ଦିନରୁ କିଶୋର ମୁଢି , ଚୁଡା ଖାଉଛନ୍ତି ଏହା ବି ଗୋଟେ ପ୍ରକାରର ଖାଦ୍ୟ ଡାଇଟ । କିନ୍ତୁ ଭାତ ନ ଖାଇବା ଦ୍ୱାରା ଶରୀରରେ ଶକ୍ତି ଯୋଗାଇବାର ଅଭାବ ଦେଖା ଦେଇଥାଏ । ଯାହା ପରେ ସମସ୍ୟା ସୃଷ୍ଟି କରିପାରେ ବୋଲି କହିଛନ୍ତି ଡାକ୍ତର ।

ପିଲା ଟି ଦିନରୁ ଭାତ ପ୍ରତି ଥିବା ରୁଚିକୁ ମାରି ଦେଇଛି କିଶୋର । ମୁଢି , ଚୂଡାରେ ବିତିଯାଇଛି ୨୧ ବର୍ଷ । ଡାକ୍ତରଖାନା ନେଲା ପରେ ବି କିଶୋରଙ୍କ ରୁଚିରେ ପରିବର୍ତନ ଘଟିନାହିଁ । କିଶୋରଙ୍କ ଏପରି ରୁଚିକୁ ନେଇ ସାଧାରଣରେ ଚିନ୍ତାରେ ଅଛନ୍ତି ପରିବାର ।