ସଂକଟରେ ହରିଆଣାର ବିଜେପି ମେଣ୍ଟ ସରକାର, ଦୁଷ୍ମନ୍ତ ଚୌତାଲାଙ୍କ ବୟାନ ପରେ ୪ ନିର୍ଦ୍ଦଳୀୟ ବିଧାୟକଙ୍କୁ ଭେଟିଲେ ବିପ୍ଳବ ଦେବ

424

କନକ ବ୍ୟୁରୋ : ହରିଆଣାରେ ବିଜେପି ଓ ଜନନାୟକ ଜନତା ପାର୍ଟି (ଜେଜେପି) ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଉଭୟ ଦଳର ନେତା ଓ ବିଧାକୟମାନେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଏହାକୁ ନେଇ ବିଜେପି ଓ ଜେଜେପି ମଧ୍ୟରେ ଚାଲିଥିବା ମେଣ୍ଟ ସରକାର ସଂକଟରେ ପଡିଛି । ହରିଆଣା ବିଧାନସଭା ନିର୍ବାଚନକୁ ଗୋଟିଏ ବର୍ଷ ବାକିଥିବା ବେଳେ ବିଜେପି କୌଣସି ପରିସ୍ଥିତିରେ ସରକାର ବଞ୍ଚାଇବାକୁ ପ୍ରଚେଷ୍ଠା ଆରମ୍ଭ କରିଛି । ହରିଆଣା ବିଜେପି ପ୍ରଭାରୀ ବିପ୍ଳବ ଦେବ ଏନେଇ ଦିଲ୍ଲୀରେ ୪ ଜଣ ସ୍ୱାଧୀନ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ବୈଠକ ପରେ ବିପ୍ଳବ ଦେବ କହିଛନ୍ତି କି, ନିର୍ଦ୍ଦଳୀୟ ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ଭରସା କରିଛନ୍ତି ।

ସେପଟେ ଯଦି ବିଧାନସଭାର ବିଧାୟକ ଗଣିତକୁ ହିସାବ କରାଯାଏ ତେବେ ହରିଆଣା ବିଧାନସଭାର ମୋଟ ୯୦ ବିଧାୟକଙ୍କ ମଧ୍ୟରୁ ବିଜେପିର ୪୧ ଜଣ ବିଧାୟକ ରହିଛନ୍ତି । ତେଣୁ ସ୍ଥିର ସରକାର ପାଇଁ ବିଜେପିକୁ ମାତ୍ର ୫ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ସେପଟେ ବିଜେପିକୁ ସମର୍ଥନ ଦେଇଥିବା ଜେଜେପି ପାଖରେ ୧୦ ବିଧାୟକ ରହିଛନ୍ତି । ଜେଜେପି ଯଦି ବିଜେପି ନିକଟରୁ ସମର୍ଥନ ପ୍ରତ୍ୟାହାର କରେ ତେବେ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ବଞ୍ଚାଇ ପାରିବ ।

ସେପଟେ ଯଦି କଂଗ୍ରେସ କଥା ଚିନ୍ତା କରାଯିବ ତେବେ କଂଗ୍ରେସ ପାଖରେ ୩୦ ଜଣ ବିଧାୟକ ରହିଛନ୍ତି । ଯଦି ଜେଜେପି ସମର୍ଥନ କରେ ତେବେ ମୋଟ ୪୦ ଜଣ ବିଧାୟକଙ୍କ ସମର୍ଥନ କଂଗ୍ରେସ ପାଇବ । ହେଲେ ସରକାର ଗଠନ କରିବାକୁ ୪୬ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି ।

ଏବେ ଜାଣିବା ବିଜେପି ଓ ଜେଜେପି ମଧ୍ୟରେ କାହିଁକି ହେଲା ବିବାଦ । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଥିଲେ କି ହରିଆଣାରେ ବିଜେପି ସରକାର ରହିଛି ଜେଜେପିର ନୁହେଁ , ଜେଜେପି ବିଜେପିର ଏକ ସହଯୋଗୀ ଦଳ । ସେହିଭଳି ବିପ୍ଳବ ଦେବ ଜିନ୍ଦ ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ କି ଆଗାମୀ ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ବିଧାୟକ ଜିତିବେ, ହେଲେ ଏବେ ସେଠାରେ ଉପ ମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲା ଏବେ ବିଧାୟକ ରହିଛନ୍ତି । ଏହାର ଜବାବରେ ଦୁଷ୍ମନ୍ତ ଚୌତାଲା କହିଥିଲେ କି କାହା ପେଟରେ ଯଦି ଯନ୍ତ୍ରଣା ହେଉଛି ତେବେ ମୁଁ ଔଷଧ ଦେଇପାରିବି ନାହିଁ, ହେଲେ ମୋ ପେଟରେ ଯନ୍ତ୍ରଣା ହେଲେ ବି ତାର ଚିକିତ୍ସା ଡାକ୍ତର କରିବେ । ମୋର କାମ ହେଉଛି ମୋ ପାର୍ଟିକୁ ମଜବୁତ କରିବା ।