ଜିଏସଟି ରେଡ ବଢାଉଛି ବ୍ୟବସାୟୀଙ୍କ ଚିନ୍ତା, ଡରରେ ଦୋକାନରେ ପଡିଛି ତାଲା। ଚିନ୍ତାରୁ ମୁକ୍ତି ପାଇଁ ଜାଣିନିଅନ୍ତୁ ଜିଏସଟିର ଏହି ସବୁ ନିୟମ

201

କନକ ବ୍ୟୁରୋ: ଦ୍ରବ୍ୟ ଏବଂ ସେବାକର ବା ଜିଏସଟିକୁ ନେଇ ଉତ୍ତରପ୍ରଦେଶରେ ତୁମ୍ବିତୋଫାନ ଦେଖିବାକୁ ମିଲିଛି । ଅନେକ ଜିଲ୍ଲାରେ ଜିଏସଟି ବିଭାଗର ଟିମ୍ ରେଡ କରିବା ସହ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ବିଭିନ୍ନ ଦୋକାନକୁ ଯାଇ ସର୍ଭେ କରିବା ସହ ଠକେଇ ଥିବା ଜଣାପଡିଲେ ଜରିମାନା ମଧ୍ୟ ଆଦାୟ କରାଯାଉଛି । ତେବେ ଯଦି ଆପଣ ଜିଏସଟିକୁ ନେଇ ଥିବା ନିୟମ ଯଦି ପାଳନ କରନ୍ତି ତେବେ ଆପଣଙ୍କୁ ଆଉ ଡରିବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିନେବା ଆପଣଙ୍କୁ କଣ କଣ କରିବାକୁ ପଡିବ । ଏହା ପରେ ଆପଣ କୌଣସି ବାଧାରେ ବ୍ୟବସାୟ କରିପାରିବେ ।

ସରଳ ଭାଷାରେ ଯଦି କହିବା ଜିଏସଟି ହେଉଛି ସାଧାରଣ ଭାବେ କୌଣସି ଉତ୍ପାଦରୁ ଟାକ୍ସ ଆଦାୟ କରିବା । ଜଣେ ବ୍ୟବସାୟୀ ଏହି ଜିଏସଟି ଏହାକୁ ସରକାରଙ୍କ ପାଖରେ ଏହି କରକୁ ଜମା କରିଥାଏ । ଭାରତରେ ୪ ପ୍ରକାରରେ ଜିଏସଟିକୁ ଆଦାୟ କରାଯାଇଥାଏ । ଏଥିରେ ଏସଜିଏସଟି, ସିଜିଏସଟି, ଆଇଜିଏସଟି ଏବଂ ୟୁଜିଏସଟି ସାମିଲ ରହିଛି । ବିଭିନ୍ନ ବସ୍ତୁର ଆମଦାନୀ ଉପରେ କେନ୍ଦ୍ର ଏବଂ ରାଜ୍ୟ ପାଇଁ ଅଲଗା ଅଲଗା ଜିଏସଟି ଲାଗିଥାଏ । କୌଁଣସି ବି ବ୍ୟବସାୟରେ ସିଜିଏସଟି ଏବଂ ଏସଜିଏସଟିକୁ ମିଳିତ ଭାବେ ଆଦାୟ କରାଯାଇଥାଏ । କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟବସାୟ ବେଳେ ଏସଜିଏସଟି ବଦଳରେ ୟୁଜିଏସଟି ଦିଆଯାଇଥାଏ । ସେହିଭଳି ଯଦି ଦୁଇ ରାଜ୍ୟ ମଧ୍ୟରେ ବସ୍ତୁର ବ୍ୟବସାୟ ହୋଇଥାଏ ତେବେ ସେଠାରେ ଏକୀକୃତ ଜିଏସଟି ବା ଆଇଜିଏସଟି ଆଦାୟ ହୋଇଥାଏ ।

ଜିଏସଟି ସମ୍ବନ୍ଧିତ ଜରୁରୀ ନିୟମ
ଜିଏସଟିକୁ ନେଇ ଥିବା ନିୟମ କଥା ଯଦି ଦେଖିବା ତେବେ ବାର୍ଷିକ ୧୦ କୋଟିର ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଇ-ଚାଲାଣ ଦେବା ଜରୁରୀ । ଏହି ନିୟମ ୨୦୨୨ ଅକ୍ଟୋବର ମାସରୁ ଲାଗୁ ହୋଇଛି । ତେବେ ବ୍ୟବସାୟୀଙ୍କ ଠାରୁ ବ୍ୟବସାୟୀଙ୍କ କ୍ଷେତ୍ରରେ ଏହା ଲାଗୁ ହୋଇଥାଏ । ନୂଆ ବର୍ଷରୁ ଏହି ନିୟମ ୫ କୋଟିର ବ୍ୟବସାୟ ଉପରେ ମଧ୍ୟ ଲାଗୁ ହେବ ।

ସାଧାରଣ ଶ୍ରେଣୀର ରାଜ୍ୟରେ ବ୍ୟବସାୟୀଙ୍କ ପାଇଁ ଜିଏସଟିର ନିୟମକୁ ଯଦି ଦେଖିବା ତେବେ ବାର୍ଷିକ ୪୦ ଲକ୍ଷ ଟଙ୍କାର ରୋଜଗାରରୁ ଅଧିକର ବ୍ୟବସାୟ ହେଲେ ଜିଏସଟି ରେଜିଷ୍ଟ୍ରେସନ ଜରୁରୀ ହୋଇଥାଏ । ତେବେ ସର୍ଭିସ ସେକ୍ଟରରେ ଏହା ୨୦ ଲକ୍ଷରେ ସୀମିତ ରଖାଯାଇଛି । ଦେଢ କୋଟି ଟଙ୍କା ଯାଏ ବ୍ୟବସାୟ ଉପରେ ଆପଣ କମ୍ପୋଜିସନ ସ୍କିମ୍ ନେଇପାରିବେ ।

ଜିଏସଟିର ୪ଟି ସ୍ଲାବ ରହିଛି
ଜିଏସଟି ଜରିଆରେ ଅଲଗା ଅଲଗା ବସ୍ତୁ ଉପରେ ଭିନ୍ନ ଟାକ୍ସ ଆଦାୟ କରାଯାଇଥାଏ । ସରକାର ଏଥିପାଇଁ ୪ଟି ସ୍ଲାବ ପ୍ରସ୍ତୁତ କରିଛନ୍ତି । ତେବେ ଏହା ସ୍ଥାୟୀ ନୁହେଁ, ଦରକାର ହିସାବରେ ଏହାକୁ ପରିବର୍ତ୍ତନ କରିପାରନ୍ତି ।

୫ ପ୍ରତିଶତ ଜିଏସଟି- ସାମାନ୍ୟ ଜରୁରୀ ବସ୍ତୁ ଉପରେ ୫ ପ୍ରତିଶତର ଜିଏସଟି ଆଦାୟ କରାଯାଇଥାଏ । ଚା, କଫି, ମିଠା, ପ୍ୟାକେଟ ଖାଦ୍ୟ ଇତ୍ୟାଦି ।
୧୨ ପ୍ରତିଶତ ଜିଏସଟି- କିଛି ଦରକାରୀ ବସ୍ତୁ ଉପରେ ୧୨ ପ୍ରତିଶତର ଟାକ୍ସ ଲାଗିଥାଏ । ଏଥିରେ କମ୍ପ୍ୟୁଟର, ପ୍ରୋସେସ ହୋଇଥିବା ଖାଦ୍ୟ ରହିଛି ।
୧୮ ପ୍ରତିଶତ ଜିଏସଟି- ଜରୁରୀ ଏବଂ ବିଳାସମୟ ସାମଗ୍ରୀ ଉପରେ ୧୮ ପ୍ରତିଶତର ଜିଏସଟି ଲାଗିଥାଏ । ଏଥିରେ ଦାମୀ ଜୋତା, ଔଦ୍ୟୋଗିକ ସାମଗ୍ରୀ, ମିନିରାଲ ପାଣି ରହିଛି ।
୨୮ ପ୍ରତିଶତ ଜିଏସଟି- ବିଳାସ ସାମଗ୍ରୀ ତଥା ଦେହକୁ କ୍ଷତି ପହଞ୍ଚାଉଥିବା ସାମଗ୍ରୀ ଉପରେ ୨୮ ପ୍ରତିଶତର ଜିଏସଟି ଲାଗିଥାଏ । ଏଥିରେ କାର, ଏସି, ସିଗାରେଟ ଭଳି ଜିନିଷ ରହିଛି ।