ଚୀନ୍ ସୀମା ନିକଟରେ ଭାରତୀୟ ବାୟୁସେନାର ପଇଁତରା । ପାଟ୍ରୋଲିଂ ଜରିଆରେ ଡ୍ରାଗନ ସେନା ଉପରେ ନଜର ରଖିଛି ଭାରତ ।

174

କନକ ବ୍ୟୁରୋ : ଚୀନ୍ ସୀମା ନିକଟରେ ଭାରତୀୟ ବାୟୁସେନାର ପଇଁତରା । ଚୀନ୍ ସେନା ସୀମା ଉଲଂଘନ କରିବା ପରେ ସଜାଗ ହୋଇଛି ଭାରତୀୟ ସେନା । ଏବେ ପାଟ୍ରୋଲିଂ ଜରିଆରେ ଡ୍ରାଗନ ସେନାର ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଛି ବାୟୁସେନା । ଅରୁଣାଚଳ ପ୍ରଦେଶ ସୀମାନ୍ତ ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ପଇଁତରା ମାରୁଛି । ଚୀନ୍ ସେନା କେଉଁ ଜାଗାରେ ମୁତୟନ ହୋଇଛନ୍ତି ସେ ନେଇ ଅନୁଧ୍ୟାନ କରୁଛନ୍ତି ଭାରତୀୟ ବାୟୁସେନା ଅଧିକାରୀ । ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଦେବା ପରେ ଚୀନ ବିବୃତି ଜାରି କରିଛି । ସୀମାରେ ସ୍ଥିତି ନିୟନ୍ତ୍ରଣରେ ଥିବା ସଫେଇ ଦେଇଛି ବେଜିଂ ।

ସଂସଦରେ ମଧ୍ୟ ଭାରତ-ଚୀନ୍ ପ୍ରସଙ୍ଗକୁ ନେଇ ତାତି ଦେଖିବାକୁ ମିଳିଛି । ସଂସଦରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇ ସରକାରକୁ ଘେରିଛନ୍ତି ।  ଏହାରି ଭିତରେ ଚୀନ୍ ସୀମା ବିବାଦ କଥା ଉଠାଇ କଂଗ୍ରେସକୁ ଟାର୍ଗେଟ କରି ବର୍ଷିଛନ୍ତି ଅମିତ ଶାହା । ଦେଶରେ ମୋଦୀ ସରକାର ଥିବା ଯାଏ ଇଂଚେ ବି ଜମି କେହି ଅକ୍ତିଆର କରିପାରିବେ ନାହିଁ ବୋଲି କହିଛନ୍ତି ଶାହ । ରାଜୀବ ଗାନ୍ଧୀ ଫଉଣ୍ଡେସନ ଚୀନ୍ ଠାରୁ ପଇସା ନେଇଛି କହି କଡା ଜବାବ ଦେଇଛନ୍ତି ଗୃହମନ୍ତ୍ରୀ  । ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକସଭାରେ ବିବୃତି ରଖି କହିଛନ୍ତି କୌଣସି ଯବାନଙ୍କ ମୃତ୍ୟୁ ହୋଇନାହିଁ । କୌଣସି ଯବାନ ମଧ୍ୟ ଗୁରୁତର ଆହତ ହୋଇନାହାନ୍ତି । ସୀମା ଉଲ୍ଳଂଘନ କରି ଚୀନ୍ ତାର ଓøଦ୍ଧତ୍ୟର ପରିଚୟ ଦେଖାଇଛି । ଭାରତୀୟ ଯବାନଙ୍କ ବୀରତ୍ୱକୁ ପ୍ରଶାଂସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ମିଳିଥିବା ସୂଚନା ମୁତାବକ, ତୱାଙ୍ଗରେ ଡ୍ରାଗନ ସେନାର ପ୍ରାୟ ୩ଶହ ଯବାନ ଅଚାନକ୍୍ ୯ ତାରିଖ ଆସି ନିୟନ୍ତ୍ରଣ ରେଖା ଅତିକ୍ରମ କରି ମାରପିଟ୍ କରିଥିଲେ । ଏହାର ମୁକାବିିଲା କରିଥିଲେ ଉପସ୍ଥିତ ଥିବା ଭାରତୀୟ ଯବାନ । ଏହି ଘଟଣାରେ ୬ ଜଣ ଭାରତୀୟ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ  ଗୌହାଟୀ ଅଣାଯାଇଛି । ଚୀନ ସେନାର ମଧ୍ୟ ୧୨ରୁ ଅଧିକ ଯବାନ ଆହତ ହୋଇଥିବା ଜଣାପଡ଼ିଛି । ୨୦୨୦ ଗଲୱାନ ଘାଟି ଘଟଣା ପରେ ପୁଣି ଏଭଳି ଏକ ଘଟଣା ନଜରକୁ ଆସିଛି । ଗଲୱାନ ଘାଟିରେ ହୋଇଥିବା ମୁହାଁମୁହିଁ ଘଟଣାରେ ଚୀନର ୪୫ ଜଣ ଯବାନ ନିହତ ହୋଇଥିଲେ । ଭାରତ ପକ୍ଷରୁ ମଧ୍ୟ ୨୦ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରଠାରୁ, ପ୍ରକୃତ ନିୟନ୍ତ୍ରଣ ରେଖାରେ ଦୁଇ ଦେଶର ସେନା ମଧ୍ୟରେ ଉତେଜନା ପୂର୍ଣ୍ଣ ସ୍ଥିତି ଲାଗି ରହିଛି । ତେବେ ବେଶ କିଛି ଦିନର ନିରବତା ପରେ ପୁଣିଥରେ ଚୀନ ନିଜର ଅସଲ ରୁପ ଦେଖାଇଛି ।