ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି, ଜୁଲାଇ ୧୭ କୁ ଡାକିଲେ ସର୍ବଦଳୀୟ ବୈଠକ

76

କନକ ବ୍ୟୁରୋ : ସଂସଦରେ ଜୁଲାଇ ୧୮ ତାରିଖରୁ ଅଗଷ୍ଟ ୧୨ ପର୍ୟ୍ୟନ୍ତ ମୌସୁମୀ ଅଧିବେଶନ ବସିବାକୁ ଯାଉଛି । ହେଲେ ତାହା ପୂର୍ବରୁ ଜୁଲାଇ ୧୭ ତାରିଖରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ଜୁଲାଇ ୧୭ ତାରିଖ ସକାଳ ୧୧ ଟାରେ ସର୍ବଦଳୀୟ ବୈଠକ ବସିବ ବୋଲି କୁହାଯାଇଛି । ଚଳିତ ମୌସୁମୀ ଅଧିବେଶନ ମୋଟ ୨୬ ଦିନ ଚାଲିବ ଓ ଏହା ମଧ୍ୟରେ ମୋଟ ୧୮ ଟି କାର୍ୟ୍ୟଦିବସ ରହିଛି । ସୂତ୍ର ସୂଚନା ମୁତାବକ ମୌସୁମୀ ଅଧିବେଶନରେ ସରକାର ମୋଟ ୧୨ ଟି ନୂଆ ବିଧେୟକ ପାଇଁ ପ୍ରସ୍ତାବ ଆଣିପାରନ୍ତି ।

ସୂତ୍ର ସୂଚନା ମୁତାବକ ଏହି ୧୨ ଟି ବିଧେୟକ ବା ବିଲ୍ ମଧ୍ୟରେ ରହିଛି ଭାରତୀୟ-ଆଣ୍ଟାର୍କଟିକ ବିଲ, ବାଳ ବିବାହ ରୋକିବା ପାଇଁ ସଂଶୋଧନ ବିଧେୟକ, ରାଷ୍ଟ୍ରୀୟ ଡୋପିଂ ରୋଧୀ ବିଧେୟକ, ଜୈବ ବିବିଧତା ସଂଶୋଧିତ ବିଧେୟକ ଭଳି ମହତ୍ୱପୂର୍ଣ୍ଣ ବିଲ ।

ସେପେଟ ଜୁଲାଇ ୧୮ ତାରିଖରୁ ମୌସୁମୀ ଅଧିବେଶନ ବସିବାକୁ ଥିବା ବେଳେ ସମାନ ଦିନରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ମୌସୁମୀ ଅଧିବେଶନ ଚାଲିଥିବା ବେଳେ ପୁଣି ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ପାଇଁ ଭୋଟଗ୍ରହଣ ହେବ । ଅନ୍ୟପଟେ ବିରୋଧୀ ଦଳମାନେ ଅଗ୍ନିପଥ ଯୋଜନା, ବେରୋଜଗାରୀ ଓ ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରି ପାରନ୍ତି । ଅନ୍ୟପଟେ ଜାତୀୟ ଯାଂଚ ଏଜେନ୍ସିଗୁଡିକର ଅପ ବ୍ୟବହାର ନେଇ ବିରୋଧୀ ବାରମ୍ବାର ଅଭିଯୋଗ କରୁଥିବା ବେଳେ ଚଳିତ ଅଧିବେଶନରେ ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।