ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ମୃତ୍ୟୁ ଘଟଣା । ମୋବାଇଲ୍ ନମ୍ବର ଜାରି କଲା କମିଶନରେଟ୍ ପୋଲିସ । ରାଗିଂ ନେଇ କୌଣସି ତଥ୍ୟ ଥିଲେ ଜଣାଇବାକୁ ଅନୁରୋଧ । 

102

କନକ ବ୍ୟୁରୋ: ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲାରେ ପ୍ରେସମିଟ୍ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ତାଙ୍କ କହିବା ମୁତାବକ, ଜଣେ ଡିସିପି ରାଙ୍କର ଅଫିସର ଏହି ମାମଲାର ତଦନ୍ତ କରୁଛନ୍ତି । ରୁଚିକାଙ୍କର କଲେଜ ହଷ୍ଟେଲରେ ରାଗିଂ ହୋଇଥିବା ନେଇ ପୋଲିସର କୌଣସି ସୁରାକ୍ ମିଳିନି । ତେବେ ପୋଲିସ ଏହି ମୃତ୍ୟୁ ପଛର ଗୁମର ଖୋଲିବା ପାଇଁ ଏପର୍ଯ୍ୟନ୍ତ ମୋଟ ୧୯୮ ଜଣଙ୍କୁ ପଚରାଉଚୁରା କରିସାରିଲାଣି  ବୋଲି ଡିସିପି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଯଦି କୌଣସି ବ୍ୟକ୍ତି ରୁଚିକା ମୃତ୍ୟୁ ନେଇ ପୋଲିସକୁ କିଛି ତଥ୍ୟ ଦେବାକୁ ଚାହୁଁଛନ୍ତି ତେବେ ସେଥିପାଇଁ କମିଶନରେଟ୍ ପୋଲିସ ଏକ ମୋବାଇଲ୍ ନମ୍ବର ଜାରି କରିଛି । ଏହି ନମ୍ବରକୁ ଫୋନ୍ କରି କୌଣସି ବି ବ୍ୟକ୍ତି ରୁଚିକା ମୃତ୍ୟୁ ସମ୍ବନ୍ଧୀୟ ଟିକିନିଖି ତଥ୍ୟ ଦେଇପାରିବ । ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଏହି ମୋବାଇଲ୍ ନମ୍ବରଟି ହେଉଛି ୭୦୭୭୭୯୮୧୧୧ ।

ପ୍ରତୀକ ସିଂ ଆଜି ପ୍ରେସମିଟରେ କହିଛନ୍ତି ଯେ, ରୁଚିକାର ସମ୍ପର୍କୀୟ, ସାଙ୍ଗ ଓ ହଷ୍ଟେଲ ଷ୍ଟାଫଙ୍କୁ ପଚରାଉଚୁରା କରାଯାଇଛି । ରୁଚିକା ରୁମରୁ ଯେଉଁ ମୋବାଇଲ୍ ମିଳିଥିଲା, ତାକୁ ଏବେ ଖୋଲିବାକୁ ଚେଷ୍ଟା କରାଯାଉଛି । ଏଥିପାଇଁ ରୁଚିକାଙ୍କ ମୋବାଇଲକୁ ସିଙ୍ଗାପୁର ପଠାଯାଇଛି । ସେଠାରେ ଏହି ମୋବାଇଲରୁ ଡାଟା ରିଟ୍ରିଭ୍ କରିବାକୁ ଚେଷ୍ଟା କରାଯାଉଛି ।