ବଲାଙ୍ଗୀରରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ହାର୍ଣ୍ଣିଆ ଅପରେସନ । ପେଟରେ ରହିଗଲା ପ୍ଲାଷ୍ଟିକ ପାଇପ ଖଣ୍ଡ, ବୁର୍ଲାରେ ଅପରେସନ ପରେ ବାହାରିଲା ପ୍ଲାଷ୍ଟିକ ଖଣ୍ଡ

565

କନକ ବ୍ୟୁରୋ : ହାର୍ଣ୍ଣିଆ ଅପରେସନରେ ଡାକ୍ତରଙ୍କ ତ୍ରୁଟି ଅଭିଯୋଗ । ରୋଗୀଙ୍କ ଶରୀରରୁ ବାହାରିଲା ପ୍ଲାଷ୍ଟିକ ପାଇପ ଖଣ୍ଡ । ହାର୍ଣ୍ଣିଆ ଅପରେସନ ବେଳେ ରୋଗୀଙ୍କ ଶରୀରରେ ଡାକ୍ତର ପ୍ଲାଷ୍ଟିକ ପାଇପ ଖଣ୍ଡ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଏପରି ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ଲାଦେର ବାହାଲ ଗାଁର ପ୍ରସନ୍ନ ରଣା । ଅଭିଯୋଗ ଅନୁସାରେ ପୁଇଁତଳା ବ୍ଲକ ଲାଦେରବାହାଲ ଗାଁର ପ୍ରସନ୍ନ ରଣା ହାର୍ଣ୍ଣିଆରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ସେ ଭୀମଭୋଇ ମେଡିକାଲ କଲେଜର ଏଣ୍ଡୋସ୍କୋପିଷ୍ଟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଭର୍ଜନ ମେହେରଙ୍କୁ ଦେଖାଇଥିଲେ ।

ସେପଟେ କିନ୍ତୁ ସରକାରୀ ଡାକ୍ତରଖାନାର ସୁବିଧା ଥିବା ସତ୍ୱେ ପ୍ରସନ୍ନ ରଣାଙ୍କୁ ବଲାଙ୍ଗୀରର ଏକ ଘରୋଇ ନର୍ସିଂହୋମରେ ଭର୍ତି ହେବା ପାଇଁ ତାଙ୍କୁ କହିଥିଲେ । ଏବଂ ଅଗଷ୍ଟ ୯ତାରିଖରେ ତାଙ୍କର ଅପରେସନ କରିଥିଲେ । ତେବେ ଅପରେସନ ପରେ ମଧ୍ୟ ଯନ୍ତ୍ରଣା କମିନଥିଲା ଏବଂ ଅପରେସନ ଜାଗା ଶୁଖି ନଥିଲା । ପରେ ଅଧିକ କଷ୍ଟ ଅନୁଭବ ହେବାରୁ ସେ ପୁଣି ଥରେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । କିନ୍ତୁ ସେ ସୁସ୍ଥ ନହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପ୍ରସନ୍ନଙ୍କ ଏମଆରଆଇ ସ୍କାନ କରିବା ପରେ ଅପରେସନ ହୋଇଥିବା ସ୍ଥାନରେ ଏକ ପ୍ଲାଷ୍ଟିକ ପାଇପ ଖଣ୍ଡ ରହିଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଏବଂ ଅନ୍ୟ କୌଣସି ଉପାୟ ନପାଇ ପୁଣି ଥରେ ପ୍ରସନ୍ନଙ୍କ ଅପରେସନ କରି ପ୍ଲାଷ୍ଟିକ ପାଇପ ଖଣ୍ଡ ବାହାର କରିଥିଲେ । ଡାକ୍ତରଙ୍କ ଏଭଳି ଭୁଲକୁ ନେଇ କ୍ଷୋଭ ପ୍ରକାଶ ପାଇଛି । ଅପରପକ୍ଷରେ ରାଜମିସ୍ତ୍ରୀ ଭାବେ କାମ କରି ପେଟ ପୋଷୁଥିବା ପ୍ରସନ୍ନ ରଣା ଦୀର୍ଘ ଦିନ ଧରି ବିଛଣାରେ ପଡି ରହିଥିବା ବେଳେ ତାଙ୍କ ପରିବାର ପ୍ରତିପୋଷଣରେ ସମସ୍ୟା ଦେଖାଦେଇଛି ।