ମହିଳାଙ୍କ ସୁରକ୍ଷା ପାଇଁ ପଞ୍ଜାବ ସରକାରଙ୍କ ବଡ ନିଷ୍ପତ୍ତି । ରାତିରେ ମହିଳାଙ୍କୁ ମାଗଣାରେ ପୋଲିସ ଗାଡିରେ ଘରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

832

କନକ ବ୍ୟୁରୋ : ରାତି ୯ଟାରୁ ସକାଳ ୬ଟା ସମୟ ମଧ୍ୟରେ ବାହାରେ ରହିଯାଇଥିବା ମହିଳାଙ୍କୁ ପୁଲିସ ସହାୟତାରେ ଗାଡ଼ି ଯୋଗେ ମାଗଣାରେ ଘରେ ପହଞ୍ଚାଇ ଦିଆଯିବ ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି । ଅପହରଣ କରିନିଆଯାଇ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇ ପୋଡ଼ି ଦିଆଯାଇଥିବା ପଶୁଡାକ୍ତରାଣୀଙ୍କ କଥା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏହି ନିର୍ଦେଶ ଦେଇଛନ୍ତି ।

ସମଗ୍ର ରାଜ୍ୟରେ ମିଳିବାକୁ ଥିବା ଏହି ସୁବିଧା ନମ୍ବର ୧୦୦, ୧୧୨ ଏବଂ ୧୮୧ରେ ଉପଲବ୍ଧ ହେବ । ଏହି ନମ୍ବର ଜରିଆରେ ଫୋନ୍‌ କରୁଥିବା ମହିଳାଜଣଙ୍କୁ ତୁରନ୍ତ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ ସହ ଯୋଗାଯୋଗ କରାଇଦିଆଯିବ । ସମଗ୍ର ରାଜ୍ୟରେ ଏହି ସୁବିଧା ପ୍ରଚଳନ କରାଇବାକୁ ମୁଖ୍ୟମନ୍ତ୍ରୀ ପୁଲିସ ମହାନିର୍ଦେଶକ ଦିନକର ଗୁପ୍ତଙ୍କୁ ନିର୍ଦେଶ ଦେଇଛନ୍ତି ।

ଟ୍ୟାକ୍ସି ଏବଂ ତିନିଚକିଆ ଯାନ ପରି ନିରାପଦ ଯାନ ପାଉ ନ ଥିବା ମହିଳାମାନଙ୍କ ନିମନ୍ତେ ଏହି ସୁବିଧା ଯୋଗାଇ ଦିଆଯିବ । ପୁଲିସ ଗାଡ଼ିରେ ଯାତ୍ରା କରିବା ସମୟରେ ଫୋନ୍‌ କରିଥିବା ମହିଳାଙ୍କୁ ସମ୍ପୂର୍ଣ୍ଣ ନିରାପତ୍ତା ଦେବା ନିମନ୍ତେ ଅନ୍ୟୂନ ଜଣେ ମହିଳା ପୁଲିସ ଅଧିକାରୀ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । କେବଳ ଏହି କାମ ପାଇଁ କମିସନ୍‌ରେଟ୍‌ସ୍‌, ମୋହାଲି, ପାଟିଆଲା ଏବଂ ବଥିଣ୍ଡା ଓ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ସ୍ୱତନ୍ତ୍ର ପିସିଆର୍‌ ଗାଡ଼ି ରହିବ ବୋଲି ଡିଜିପି ଗୁପ୍ତ କହିଛନ୍ତି ।