ମହାରାଷ୍ଟ୍ରରେ ପ୍ରଳୟଙ୍କାରୀ ବନ୍ୟା। ପ୍ରକୃତିର ପ୍ରକୋପରେ ଥରୁଛି ୨୮ ଜିଲ୍ଲା।

136

କନକ ବ୍ୟୁରୋ: ବର୍ଷା ଆଣିଲା ବନ୍ୟା । ଲଗାଣ ବର୍ଷା ଫଳରେ ଦେଶର ବିଭିନ୍ନ ରାଜ୍ୟମାନଙ୍କରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ଘର ଦ୍ୱାରା ରାସ୍ତାଘାଟ ସବୁଠି ବନ୍ୟାପାଣି ବୁଡିରହିଥିବାବେଳେ ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଲୋକେ ବାହାରକୁ ବାହାରିପାରୁନଥିବାରୁ ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି । ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଆସାମ, କେରଳ ସମତେ ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ବନ୍ୟା ଲୋକଙ୍କୁ କଲବଲ କରୁଛି । ମହାରାଷ୍ଟ୍ରରେ ସ୍ଥିତି ସବୁଠି ଅଧିକ ସଙ୍ଗୀନ ରହିଛି । ରାଜ୍ୟରେ ଗତକାଲି ସର୍ବାଧିକ ୧୧୫ ମିମି ବର୍ଷା ରେକର୍ଡ ହୋଇଛି । ପୁନେ, ସାତରା, ସୋଲାପୁର, ନାସିକ୍ ସମେତ ୨୮ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟା କାରଣରୁ ମହାରାଷ୍ଟ୍ରରେ ବର୍ତମାନ ସୁଦ୍ଧା ୧୦୪ ଜଣ ପ୍ରାଣ ହରାଇଥିବା ବେଳେ ପାଖାପାଖି ୧୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି ।

ଜାମ୍ମୁ କାଶ୍ମୀରରେ ବି ପ୍ରବଳ ବର୍ଷା ଜାରି ରହିଛି । ପୁଞ୍ଜର ବେତାର ନଦୀରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି । ସେପଟେ ଗୁଜୁରାଟରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଗୁଜୁରାଟରେ ବର୍ତମାନ ସୁଦ୍ଧା ୨୦୦ ଲୋକଙ୍କୁ ରେସ୍କ୍ୟୁ କରାଗଲାଣି । ତଳିଆ ଅଞ୍ଚଳର ଲୋକଙ୍କୁ ଏନଡିଆରଏଫ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ସେହିପରି ଓଡିଶା ଓ ଛତିଶଗଡରେ ବି ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

ଚଳିତବର୍ଷ ମୌସୁମୀ ବର୍ଷା ପୂର୍ବରୁ ହିଁ ପୂର୍ବୋତ୍ତର ରାଜ୍ୟରେ ବନ୍ୟା ଆସି କାଳ ସୃଷ୍ଟି କରିଥିଲା । ଏବେ ମୌସୁମୀ ବର୍ଷାର ପ୍ରଭାବରେ କୌଣସି ରାଜ୍ୟ ବାଦ ପଡୁନି । ପୂର୍ବରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ୨୫ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିବା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ପ୍ରକୃତିର ପ୍ରକୋପରେ କେବଳ ଧନଜୀବନର କ୍ଷୟକ୍ଷତି ହେଉନି ବଂର ଦେଶ ଦୁନିଆରେ ବଦଳୁଥିବା ପାଣିପାଗ ଚକ୍ର ଆଗାମୀ ଦିନରେ ବଡ ସମସ୍ୟା ଆଣିବ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ସମୟ ଥାଉ ଥାଉ ସଜାଗ ନରହିଲେ ଆଗକୁ ପ୍ରାଣୀ ଦୁନିଆକୁ ଏହାର ବଡ ହିସାବ ଦେବାକୁ ପଡିବ ଏଥିରୁ କୌଣସି ସନ୍ଦେହ ନାହିଁ ।