କମେଡ଼ିଆନ୍ ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ : ଜିମରେ ବ୍ୟାୟାମ କରିବା ବେଳେ ଛାତିରେ ହୋଇଥିଲା ଯନ୍ତ୍ରଣା; ମାତ୍ରାଧିକ ବ୍ୟାୟାମ ଆଣୁଛି କି ହୃଦଘାତ ?

178

କନକ ବ୍ୟୁରୋ : ଜଣାଶୁଣା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ । ବୁଧବାର ଜିମରେ ୱର୍କଆଉଟ୍ ବେଳେ ରାଜୁ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଦିଲ୍ଲୀର ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କର ଆଞ୍ଜିଓଗ୍ରାଫି କରାଯାଇଛି । ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି । ରାଜୁଙ୍କ ହୃଦଘାତ ଖବର ପାଇବା ମାତ୍ରକେ ତାଙ୍କ ଫ୍ୟାନରେ ମନରେ ନିରାଶା ଖେଳିଯାଇଛି । ଫ୍ୟାନ୍ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ଭେଣ୍ଟିଲଟରରେ ରାଜୁଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଏହି ବଡ଼ ପ୍ରଶ୍ନ ମନକୁ ଆସୁଛି ।

ପୂରା ଫିଟ୍ ଥିବା ଟେଲିଭିଜନ ଷ୍ଟାର୍ ରାଜୁଙ୍କୁ ହଠାତ୍ ହୃଦଘାତ କେମିତି ଆସିଲା । ଜିମରେ ଟ୍ରେଡମିଲରେ ଦୌଡ଼ୁଥିବା ବେଳେ ରାଜୁଙ୍କୁ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଯନ୍ତ୍ରଣା ଏତେ ମାତ୍ରାରେ ହେଲା ଯେ ସେ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏତେ ଫିଟ୍ ଥାଇକି ବି ରାଜୁଙ୍କୁ ହୃଦଘାତ ହେବା ସାଧାରଣରେ ଚିନ୍ତା ବଢ଼ାଇ ଦେଇଛି । କେବଳ ରାଜୁ ନୁହେଁ, ଷ୍ଟାରମାନଙ୍କ କ୍ଷେତ୍ରରେ ଅନେକ ସମୟରେ ଏଭଳି ଘଟଣା ଦେଖିବାକୁ ମିଳୁଛି । ଗତବର୍ଷ ବିଗବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା ମଧ୍ୟ ଜିମରେ ବ୍ୟାୟାମ କରୁଥିବା ବେଳେ ପ୍ରାଣ ହରାଇଥିଲା ।

ସେହିପରି କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କର ମଧ୍ୟ ବ୍ୟାୟାମ କରୁଥିବା ବେଳେ ହୃଦଘାତରେ ମୃତ୍ୟୁ ହୋଇଥିଲା । ତେଣୁ ଯେଉଁମାନେ ଜିମକୁ ଯାଉଛନ୍ତି, ସେମାନେ ଚିନ୍ତା କରିବା ଦରକାର ଯେ ସେମାନେ ଫିଟ୍ ରହିବା ପାଇଁ ଜିମ୍ ଯାଉଛନ୍ତି ନା ଓଜନ କମାଇବା ପାଇଁ ନା ବଡି ବନାଇବା ପାଇଁ । କରୋନା ପରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ହାର୍ଟଆଟାକ ଆଶଙ୍କା ଆହୁରି ବଢ଼ି ଯାଇଛି । ତେଣୁ ପ୍ରଶିକ୍ଷିତ ଜିମ୍ ଟ୍ରେନର ପାଖରେ ପ୍ରଶିକ୍ଷଣ ନେବା ଉଚିତ୍ । ଏଥିସହ ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦେବା ଅତି ଆବଶ୍ୟକ ।