ଗଂଜାମରୁ ଆସିଲା ଦାଦନ ଦୁଃଖର ଖବର: ବାହା ପାଇଁ ଘରକୁ ଆସିବାର ଥିଲା, ହେଲେ ଫେରିଲା ଯୁବକଙ୍କ ମୃତଦେହ

292

କନକ ବ୍ୟୁରୋ: ବାହାଘର ପାଇଁ ଘରକୁ ପୁଅ ଫେରିବାର ଥିଲା । ହେଲେ ମାଆ ପାଖକୁ ଫେରିଲା ପୁଅର ମୃତଦେହ । ଭଂଜନଗରରୁ ଆସିଛି ଦାଦନ ଶ୍ରମିକଙ୍କ ଏଭଳି କରୁଣ କାହାଣୀ । ତାଠୁ ବଳିଗଲା ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅମାନବିକତା । ଗୁଗଲ ମ୍ୟାପରେ ମୃତକଙ୍କ ଗାଁ ଠିକଣା ଜଙ୍ଗଲରେ ଦେଖାଇବାରୁ ମୃତଦେହକୁ ବ୍ରହ୍ମପୁରରେ ଛାଡି ଚାଲିଗଲା ଆମ୍ବୁଲାନ୍ସ ଡ୍ରାଇଭର । ଏହାପରେ ମୃତକଙ୍କ ସାଙ୍ଗମାନେ ଗାଡି ଭଡା କରି ବ୍ରହ୍ମପୁରରୁ ମୃତଦେହକୁ ଗାଁକୁ ଆଣିଛନ୍ତି । ଗାଁରେ ମୃତଦେହ ପହଂଚିବା ପରେ ପରିବେଶ ଶୋକାକୂଳ ହୋଇପଡିଛି । କାନ୍ଦ ବୋବାଲିରେ ଫାଟି ପଡୁଛି ଜିଲୁଣ୍ଡି ପଂଚାୟତର ବୁଦୁଲି ଗାଁ । ମୃତକ ହେଉଛନ୍ତି ବୁଦୁଲି ଗାଁର ସିଦ୍ଧାନ୍ତ ନାୟକ । ଏଇ ମାସରେ ସିଦ୍ଧାନ୍ତଙ୍କ ବାହାଘର ଠିକ୍ ହୋଇଥିଲା । ହେଲେ ବାହାଘର ପାଇଁ ଅର୍ଥ ଅଭାବ ହୋଇଥିବାରୁ କିଛି ଦିନ ତଳେ ତାମିଲନାଡୁ ଯାଇଥିଲେ ସିଦ୍ଧାନ୍ତ ନାୟକ । ସେଠାରେ ଏକ କୋଠାରେ କାମ କରିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଠିକାଦାର ସେଠାରୁ ଆମ୍ବୁଲାନ୍ସ କରି ଗାଁକୁ ଶବ ପଠାଇଥିଲେ । ହେଲେ ଗୁଗଲ ମ୍ୟାପ ବୁଦୁଲି ଗାଁ ଜଙ୍ଗଲ ମଧ୍ୟରେ ଦେଖାଇବାରୁ ବ୍ରହ୍ମପୁରରେ ମୃତଦେହ ଛାଡି ଚାଲିଗଲା ଆମ୍ବୁଲାନ୍ସ ଡ୍ରାଇଭର ।