ଅଧ୍ୟାପକଙ୍କୁ ଅନୁରୋଧ, ପିଲାଙ୍କ ସ୍ୱାର୍ଥ ଆଗ; ଆଲୋଚନା ସବୁବେଳେ ଚାଲିଛି, ପରୀକ୍ଷାରେ ସହଯୋଗ କରନ୍ତୁ : ଗଣଶିକ୍ଷା ମନ୍ତ୍ରୀ

432

କନକ ବ୍ୟୁରୋ : ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା ହେବାକୁ ଥିବା ବେଳେ ଅଧ୍ୟାପକଙ୍କ ଆନ୍ଦୋଳନ ଚାଲିଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି କିଛି ଅଧ୍ୟାପକ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଥିବା ବିଭାଗର ନଜରକୁ ଆସିଛି । ଏଥିସହ ସେ ଅଧ୍ୟାପକଙ୍କୁ ଅନୁରୋଧ କରି କହିଛନ୍ତି ପିଲାଙ୍କ ସ୍ୱାର୍ଥ ଆଗ । ତେଣୁ ପରୀକ୍ଷାରେ ସହଯୋଗ କରିବା ପାଇଁ ଆନ୍ଦୋଳନରତ ଅଧ୍ୟାପକମାନଙ୍କୁ ମନ୍ତ୍ରୀ ଅପିଲ କରିଛନ୍ତି ।

ପରୀକ୍ଷା ପାଇଁ ଅଧିକାଂଶ ହବରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ହେଲେ ପରୀକ୍ଷା ପରିଚାଳନାକୁ ନେଇ ଏବେ ସମସ୍ୟା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି । କାରଣ ସମାନ ଗ୍ରେଡ୍ ପେ’କୁ ସମାନ ଦରମା ଏବଂ ଅନ୍ୟାନ୍ୟ ଦାବି କରି ଆଜିଠୁ ବିଶାଳ ମହାସମାବେଶ କରିବାକୁ ଯାଉଛନ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ୪ ଦଫା ଦାବିରେ ୬୬୨ ଯୁକ୍ତ ୨ ଓ ଯୁକ୍ତ୩ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ୧୫ ଦିନ ହେଲା ରାଜଧାନୀରେ ଆନ୍ଦୋଳନ କରୁଛନ୍ତି । ଚଳିତବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ୩ ଲକ୍ଷ ୫୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି ।