ବନ୍ୟା ବେଳେ ପ୍ରଭାବିତ ଅଞ୍ଚଳରେ ଜନ୍ମ ହୋଇଛନ୍ତି ୨୫୫ ଶିଶୁ। କଣାସ, ଡେଲାଙ୍ଗ ଓ ପିପିଲିରେ ଦୁନିଆକୁ ଆସିଛନ୍ତି ୫୯ ପିଲା।

74

କନକ ବ୍ୟୁରୋ: ବନ୍ୟା ବେଳେ ଶିଶୁଜନ୍ମ । ଚାରିଆଡେ ପାଣି । ଘରେ ପାଣି, ବାହାରେ ପାଣି, ରାସ୍ତାରେ ବି ପାଣି । ଘରୁ ବାହାରିବା କଷ୍ଟକର । ସେତିକି ବେଳେ ଯଦି ଜଣେ ଗର୍ଭବତୀଙ୍କ ପ୍ରସବ ବେଦନା ହୁଏ, ତେବେ ପୁରା ପରିବାର ଚିନ୍ତାରେ ପଡିଯାଆନ୍ତି । କେମିତି ପ୍ରସୂତିଙ୍କୁ ଡାକ୍ତରଖାନାକୁ ନିଆଯିବ, ଉଭୟ ମାଆ ଓ ଶିଶୁଙ୍କୁ ସୁସ୍ଥ ରଖିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି । ହେଲେ ପାଣି ଭିତରେ ଗର୍ଭବତୀଙ୍କୁ ଗାଁରୁ ବାହାରକୁ ଆଣି ଡାକ୍ତରଖାନା ପହଞ୍ଚାଇବା ସେତେ ସହଜ ନୁହେଁ । ତଥାପି ଚଳିତ ବର୍ଷ ବନ୍ୟା ବେଳେ ରାଜ୍ୟର ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଅଢେଇ ଶହରୁ ଅଧିକ ଶିଶୁ ଜନ୍ମ ହୋଇଛନ୍ତି । ପ୍ରାୟ ୨୫୫ ଜଣ ଶିଶୁ ଜନ୍ମ ହୋଇଥିବା ସରକାରୀ ଭାବେ କୁହାଯାଇଛି । କେବଳ ପୁରୀ ଜିଲ୍ଲା ବନ୍ୟା ପ୍ରଭାବିତ ବ୍ଲକରେ ୫୯ଟି ଶିଶୁ ଜନ୍ମ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଆଶ୍ରୟସ୍ଥଳୀକୁ ୫୮୨ ଜଣ ଗର୍ଭବତୀଙ୍କୁ ନିଆଯାଇଥିଲା । କଣାସ ବ୍ଲକର ୧୯ଟି ପଞ୍ଚାୟତରୁ ୭୪ ଜଣ ଗର୍ଭବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡେଲାଙ୍ଗ ବ୍ଲକରୁ ୧୨ ଜଣ ଓ ପିପିଲି ବ୍ଲକରୁ ୧୩ ଜଣ ଗର୍ଭବତୀଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ବ୍ଲକ ସମନ୍ୱୟ ଶିଶୁ ପ୍ରକଳ୍ପ ଅଧିକାରୀ, ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ । ବହୁ ବାଧାବିଘ୍ନକୁ ସାମ୍ନା କରି ପାଣି ଘେରରୁ ଡଙ୍ଗା ସାହାଯ୍ୟରେ ପ୍ରସୂତିଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ରଖିଥିଲେ । ପରେ ପ୍ରସବ ଯନ୍ତ୍ରଣା ହେବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଇଥିଲେ । ସେଠାରେ ସେମାନେ ସନ୍ତାନ ଜନ୍ମ ଦେଇଛନ୍ତି।