ଆଇଓବିର ବୈପାରୀଗୁଡା ଶାଖାରୁ ଆକାଉଣ୍ଟଟାଣ୍ଟ ଲୁଟି ନେଇଛନ୍ତି ୮୦ ଲକ୍ଷ। ଲୁଟ ଖବର ପରେ ଜମା ଟଙ୍କା ଉଠାଇ ନେବା ପାଇଁ ଗ୍ରାହକଙ୍କ ଭିଡ

185

କନକ ବ୍ୟୁରୋ: ଟଙ୍କା ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ । କୋରାପୁଟ ବୈପାରୀଗୁଡା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ବ୍ୟାଙ୍କ କର୍ମଚାରୀ ଗିରଫ ହେବା ପରେ ବ୍ୟାଙ୍କରୁ ଟଙ୍କା ଉଠାଇ ନେବାକୁ ଚାହୁଁଛନ୍ତି ଜମାକାରୀ । ବୈପାରିଗୁଡ଼ା ସ୍ଥିତ ବ୍ୟାଙ୍କ ଶାଖାରେ ଜାମାକାରୀଙ୍କ ଲମ୍ବା ଲାଇନ ଲାଗିଛି । ସମସ୍ତେ ନିଜ ଡିପୋଜିଟ ଟଙ୍କାର ହିସାବ ଜାଣିବା ଓ ଉଠାଇବା ପାଇଁ ଗହଳି ଲଗାଇଛନ୍ତି । ଅନେକ ଜମାକାରୀଙ୍କ ଟଙ୍କାର ହିସାବ ମିଳୁନାହିଁ । କିଏ ଝିଅ ବାହାଘର ପାଇଁ ଟଙ୍କା ଜମା ରଖିଥିଲା ତ ଆଉ କିଏ ଜୀବନଯାକର ପାରିଶ୍ରମିକକୁ ବ୍ୟାଙ୍କର ସଞ୍ଚୟ କରିରଖିଥିଲା । ହେଲେ ବ୍ୟାଙ୍କ ଆକାଉଟାଣ୍ଟଙ୍କ ଅନଲାଇନ୍ ଗେମ୍ ଖେଳିବା ନିଶା ସବୁ ସାରିଦେଇଛି । ଜମାକାରୀଙ୍କ ଟଙ୍କା ବ୍ୟାଙ୍କରୁ ହଡପ ହୋଇଯାଇଛି । ଯାହାକୁ ନେଇ ବୈପାରୀଗୁଡା ଥାନାରେ ଏତଲା ଦେଇଛନ୍ତି ଜମାକାରୀ ।

ତେବେ କେତେ ଜଣଙ୍କ ଟଙ୍କା ହେରଫେର ହୋଇଛି ସମସ୍ତଙ୍କ ଅଭିଯୋଗ ଆସିବା ପରେ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି । ତେବେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ବୈପାରୀଗୁଡା ଶାଖାରେ ଜଣେ କି ୨ ଜଣ ନୁହେଁ ୮ ହଜାରରୁ ଅଧିକ ଗ୍ରାହକଙ୍କ ଜମାଖାତା ରହିଛି । ଏବେ ଅନେକଙ୍କ ହିସାବ ମିଳୁନାହିଁ ବୋଲି କହିଛନ୍ତି ଜମାକାରୀ । ବ୍ୟାଙ୍କରୁ ଟଙ୍କା ଲୁଟ ଘଟଣାରେ ବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀ ଶାଖାରେ ତନାଘନା ଚଳାଇଛନ୍ତି । ବ୍ରାଞ୍ଚ ମ୍ୟାନେଜର କହିଛନ୍ତି, ସମସ୍ତଙ୍କ ଟଙ୍କା ମିଳିଯିବ, ଏଥିପାଇଁ ଟିକିଏ ଅପେକ୍ଷା କରିବାକୁ ପଡିବ ।