ପାଟିକୁ ସୁଆଦ ହେଲେ ପେଟକୁ ବିଷ । ଅସଲି ବ୍ରାଣ୍ଡ ନାଁରେ ବିକ୍ରି ହେଉଛି ନକଲି ଆଚାର । ବ୍ରହ୍ମପୁରରେ ଚଢାଉ କଲା ପୁଲିସ

400

 

କନକ ବ୍ୟୁରୋ : ସାବଧାନ ! ଆଚାର ଖାଇବା ପ୍ରତି ରୁଚି ରଖୁଛନ୍ତି କି , ତେବେ ଏହି ଖବର ଟି ଖାସ ଆପଣଙ୍କ ପାଇଁ । ଭଲଭାବେ ଦେଖନ୍ତୁ ଏମିତି ଏକ ଚକିତ କରିଦେବା ଭଳି ଖବର ସାମନାକୁ ଆସିଛି ଯାହାକି ଆପଣଙ୍କ ହୋସ ଉଡେଇଦେବ । କାରଣ ଏବେ ବଜାରରେ ମିଳୁଛି ନାମୀଦାମୀ ବ୍ରେଣ୍ଡର ଜାର୍ ଭିତରେ କେମିକାଲ ଯୁକ୍ତ ନକଲି ଆଚାର । ଆଉ ଏମିତି ଏକ ନକଲି ଆଚାର ୟୁନିଟ ଉପରେ ଚଢାଉ କରି ସିଲ୍ଡ କରିବା ସହ ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ବଡବଜାର ଥାନା ପୋଲିସ । ଦେଖିବା ଏକ ରିପୋର୍ଟ ।

ନାମୀଦାମୀ ବ୍ରାଣ୍ଡର ଜାରରେ ବିକ୍ରି ହେଉଛି ନକଲି ଆଚାର । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ନୁହେଁ, ସ୍ୱାଦିଷ୍ଟ ଆଚାର ପାଇଁ ପ୍ରସିଦ୍ଧ ବ୍ରହ୍ମପୁରରେ ପ୍ରସ୍ତୁତ ହେଉଛି ନକଲି ଆଚାର । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗର ଚତୁର୍ଥ ଗଳିରେ ଏଭଳି ନକଲି ଆଚାର ୟୁନିଟ ଉପରେ ଚଢାଉ କରିଛି ପୁଲିସ । ଚଢାଉ ବେଳେ ବିପୁଳ ପରିମାଣର ଆଚାର, ପ୍ରସ୍ତୁତି ସାମଗ୍ରୀ, ଅଧା ପ୍ରସ୍ତୁତି ଆଚାର, ବହୁ କେମିକାଲ, ସିନ୍ଥେଟିକ କଲର ଓ ନାମୀଦାମୀ କମ୍ପାନୀର ଜାର୍ ସବୁ ଜବତ ହୋଇଛି । ସବୁଠାରୁ ବଡ କଥା ହେଲା କିଛି ଅସାଧୁ ବ୍ୟବସାୟୀ ମାରାତ୍ନକ କେମିକାଲ ଅପମିଶ୍ରଣ କରି ନକଲି ଆଚାର ପ୍ରସ୍ତୁତ କରୁଥିଲେ । ଏକ ବର୍ଷ ହେଲା ଅସ୍ୱାସ୍ଥ୍ୟକର ପରିବେଶରେ ଏହି ଅପମିଶ୍ରିତ ଆଚାର ୟୁନିଟ ଚାଲିଥିବା ବେଳେ ସହର ଓ ସହର ବାହାରେ ଏହା ବିକ୍ରି ହେଉଥିଲା ।
ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ନିରାପତା ବିଭାଗ ଅଧିକାରୀଙ୍କ ସହଯୋଗରେ ଆଚାରର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପରୀକ୍ଷାଗାରକୁ ପଠାଯାଇଛି । ଘଟଣାରେ ୟୁନିଟ ମାଲିକ ପିଂଟୁ ସାହୁ ଗିରଫ ହୋଇଥିବାବେଳେ ଅନ୍ୟମାନଙ୍କୁ ଖୋଜୁଛି ପୁଲିସ । ଅପମିଶ୍ରଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସହରବାସୀ ଦାବି କରିଛନ୍ତି ।

ଡାଲି, ଘିଅ, ଖାଇବା ତେଲ , ଚା ପତି, ସାବୁନ ଭଳି ଅତ୍ୟାବ୍ୟଶକ ସାମଗ୍ରୀ ରେ ଅପମିଶ୍ରଣ ପରେ ବହ୍ମପରର ଆଚାର ଉପରେ ଅସାଧୁ ବ୍ୟବସାୟୀଙ୍କ ନଜର ପଡିଛି । ଆଉ ଅପମିଶ୍ରଣ ଖବର ଖାଉଟିଙ୍କୁ ବି ଭୟଭୀତ କରିଛି ।