ବରଗଡ଼ରୁ ଆସିଲା ଦାରିଦ୍ର୍ୟ ଓ ଅସହାୟତାର କରୁଣ କାହାଣୀ । ସରକାରଙ୍କ ହାତରେ ନାତୁଣୀକୁ ଟେକିଦେଲେ ଜେଜେବାପା

200

କନକ ବ୍ୟୁରୋ : ମାତ୍ର ୧୦ ମାସ ହୋଇଥିଲା ଝିଅ, ଦୁର୍ଘଟଣାରେ ଆଖି ବୁଜି ଦେଲେ ବାପା । ବାପାଙ୍କ ମୃତ୍ୟୁ ଖବର ଶୁଣି ସହିପାରିଲେନି ମା’ । ମାନସିକ ଭାରସ୍ୟାମ ହରାଇ କୁଆଡେ ଚାଲିଗଲେ । ବୟସ୍କ ଜେଜେ ବାପା ମୁଣ୍ଡକୁ ଚାଲି ଆସିଲା କୁନି ଝିଅର ଦାୟୀତ୍ୱ । କଷ୍ଟେ ମଷ୍ଟେ ୯ ବର୍ଷ ଯାଏଁ ପାଳିଲେ । ଏବେ ନା’ ବୟସ ଅଛି, ନା’ ବଳ ଅଛି । ୯ ବର୍ଷର ନାତୁଣୀ ମୁହଁରେ ଦାନା ଓଳିଏ ଦେବା ପାଇଁ ବି ଅସହାୟ ଜଣେ ଜେଜେ ବାପା । ଏଭଳି ସ୍ଥିତିରେ ଅନିଛା ସତ୍ୱେ ଦାରିଦ୍ର୍ୟ ପାଇଁ ନାତୁଣୀକୁ ପ୍ରଶାସନ ହାତରେ ଟେକି ଦେଇଛନ୍ତି ବରଗଡର ମୁକୁନ୍ଦ ବନେଛାର । ଦେଖନ୍ତୁ ଏହି ରିପୋର୍ଟ
ହୁଏତ ଦାରିଦ୍ର୍ୟଠୁ ଆଉ ବଡ଼ ଦୁଃଖ ନାହିଁ । ଅସହାୟତାରୁ ଆଉ ବଡ଼ ଅପମାନ ନାହିଁ । ବୟସ୍କ କାନ୍ଧରେ ଯେତେବେଳେ ଦାୟୀତ୍ୱର ବୋଝ ଅଧିକ ହୋଇଯାଏ, ଜଣେ ମଣିଷ କେତେ ଅସହାୟ ହୋଇପାରେ ଏହି ମଉସା ହିଁ ତାର ଉଦାହରଣ । ଆଉ କେତେ ଆୟୁଷ ଅଛି ସେ ଜାଣି ନାହାଁନ୍ତି, କିନ୍ତୁ ଯେତେ ବି ଆୟୁଷ ଅଛି, ସେ ଆୟୁଷ ଭିତରେ କୁନି ଝିଅକୁ ମଣିଷ କରିବା ସମ୍ଭବ ନୁହେଁ । ସେଥିପାଇଁ ୯ ବର୍ଷର ନାତୁଣୀକୁ ପ୍ରଶାସନ ହାତରେ ଟେକି ଦେବାପାଇଁ ନିଷ୍ପତି ନେଇଛନ୍ତି ।

ଏଭଳି ସ୍ଥିତିରେ କୁନି ଝିଅର ଦାୟୀତ୍ୱ ନେଇଥିଲେ ବରଗଡ ଜିଲ୍ଲା ଝାରବନ୍ଧ ଥାନା ଶାଖାଡୁଙ୍ଗୁରି ଗାଁର ମୁକୁନ୍ଦ ବନେଛାର । ଏବେ ତାଙ୍କ ବୟସ ୭୭ ବର୍ଷ । ନିଜେ ଠିକ୍ରେ ଚାଲିବୁଲି ପାରୁନାହାନ୍ତି । ୭୩ ବର୍ଷିୟ ପତ୍ନୀ ଓ ନାତୁଣୀଙ୍କୁ ନେଇ ରହୁଥିଲେ । କୁଲିକାମ କରି ପେଟ ପୋଷୁଥିଲେ । କେତେବେଳେ କଣ ଘଟିବ ତାହା କହି ହେବ ନାହିଁ । ତାଙ୍କ ଅନ୍ତେ କୁନି ଝିଅର ଦାୟିତ୍ୱ କିଏ ନେବ । ତାକୁ ନେଇ ଚିନ୍ତାରେ ଥିଲେ ମୁକୁନ୍ଦ । ଶେଷରେ ନାତୁଣୀର ସୁରକ୍ଷା ଓ ମଙ୍ଗଳ ଚିନ୍ତା କରି ନାତୁଣୀଙ୍କୁ ଜିଲ୍ଲା ପ୍ରଶାସନର ଜିମା ଦେଇଛନ୍ତି ।

୧୦ ମାସର ହୋଇଥିବା ନାତୁଣୀକୁ ୯ ବର୍ଷ ହେବା ଯାଏଁ ଲାଳନପାଳନ କରୁଥିବା ଜେଜେବାପା ଯେତେବେଳେ ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଖରେ ଛାଡିିଥିଲେ ସେତେବେଳେ ତାଙ୍କ ଆଖିରୁ ଧାରଧାର ଲୁହ ବୋହିଯାଉଥିଲା । ଝିଅଟି ଏବେ ବରଗଡ ପାଇକମାଳ ପର୍ବତଗିରି ଆଶ୍ରମରେ ରହିବ । ସେଠାରେ ତାକୁ ୨ ମାସ ରଖିବା ପରେ ତାକୁ ନୁଆ ବାପାମାଆ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏହି ଦୁଇ ମାସ ମଧ୍ୟରେ ଜେଜେବାପା ତାଙ୍କୁ ଭେଟିବାର ସୁଯୋଗ ପାଇପାରିବେ ।