ପୁଣି ମାତିଲେ ହୁତି ବିଦ୍ରୋହୀ । ଗଲ୍ଫ ଅଫ୍ ଆଡେନ୍ କାର୍ଗୋ ଭେସେଲ ଉପରେ ଆକ୍ରମଣ, ୩ ନାବିକ ମୃତ

249

କନକ ବ୍ୟୁରୋ : ପୁଣି ମାଲବାହୀ ଭେସଲ ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ । ଗଲ୍ଫ ଅଫ ଆଡେନରେ ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି ହୁତି ବିଦ୍ରୋହୀ । ଏହି ।ହାଜରେ ବାର୍ବାଡୋସ୍ ପତାକା ଲାଗିଥିଲା । ତେବେ ଏହା ଉପରେ ହୁତି ବିଦ୍ରୋହୀ ଆକ୍ରମଣ କରଥିଲେ । ଏଥିରେ ୩ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନେ ଭେସେଲ ଛାଡ଼ି ପାଣିକୁ ଡେଇଁପଡ଼ିଥିଲେ । ଆକ୍ରମଣ ପରେ ଭାରତୀୟ ନୌସେନା ତୁରନ୍ତ ପଦକ୍ଷେପ ନେଇଛି । ୨୧ ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା । ଏମାନଙ୍କ ମଧ୍ୟରେ ଜଣେ ଭାରତୀୟ ବି ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନାର ଜାହାଜ ଆଇଏନଏସ କୋଲକାତା ନିୟୋଜିତ ହୋଇଥିଲା । ଉଦ୍ଧାର ପରେ ସମସ୍ତଙ୍କୁ ମେଡିକାଲ ଚିକିତ୍ସା ଯୋଗାଇ ଦିଆଯାଇଛି । ଏନେଇ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ପରେ ୟେମେନର ହୁତି ବିଦ୍ରୋହୀମାନେ ବାରମ୍ବାର ମାଲବାହୀ ଜାହାଜ ଗୁଡ଼ିକ ଉପରେ ଆକ୍ରମଣ କରୁଛନ୍ତି । ଆତଙ୍କବାଦୀ ଗୋଷ୍ଠୀ ହମାସକୁ ସମର୍ଥନ କରି ହୁତିମାନେ ଏହି ଆକ୍ରମଣ କରୁଛନ୍ତି । ବିଶେଷ କରି ଇସ୍ରାଏଲ ସହ ଭଲ ସମ୍ପର୍କ ଥିବା ଦେଶଗୁଡ଼ିକର ଜାହାଜକୁ ସେମାନେ ଟାର୍ଗେଟ କରୁଛନ୍ତି । ହୁତି ବିଦ୍ରୋହୀଙ୍କୁ ଇରାନ ପରୋକ୍ଷ ସମର୍ଥନ ଦେଉଛି । ଇରାନ ଓ ଇସ୍ରାଏଲ ମଧ୍ୟରେ ତୀବ୍ର ଶତ୍ରୁତା ରହି ଆସିଛି । ତେଣୁ ହୁତି ବିଦ୍ରୋହୀଙ୍କୁ ସହାୟତା କରି ଇରାନ ଇସ୍ରାଏଲ ଉପରେ ରାଗ ଶୁଝାଇବାକୁ ଚେଷ୍ଟା କରୁଛି । କିଛିମାସ ତଳେ କିଛି ଭାରତୀୟ କ୍ରୁ ସଦସ୍ୟଙ୍କୁ ହୁତି ବିଦ୍ରୋହୀ ଅପହରଣ କରିନେଇଥିବାର ଖବର ମିଳିଥିଲା । ତେବେ ଭାରତୀୟ ନୌସେନା ତୁରନ୍ତ ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ।