ରାଜଧାନୀରେ ରହିପାରିବେନି ନିଶା ବେପାରୀ । ନିଶା ବିକ୍ରି କଲେ ୬ ମାସ ପାଇଁ ହେବେ ତଡ଼ିପାର

165

କନକ ବ୍ୟୁରୋ: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ନିଶା ବେପାରୀଙ୍କ ସଂଖ୍ୟା । କିନ୍ତୁ ଏଣିକି ଆଉ ରାଜଧାନୀରେ ରହିପାରିବେନି ନିଶା ବେପାରୀ । ନିଶା କାରବାର ବିରୋଧରେ କମିଶନରେଟ୍ ପୋଲିସର ଜିରୋ ଟଲରାନ୍ସ ନୀତି ଆପଣାଇଛି । ନିଶା ବିକ୍ରି କଲେ ୬ ମାସ ପାଇଁ ତଡ଼ିପାର ହେବେ । ଏପରିକି ନିଶା ସଂପର୍କୀତ ଖବର ଜଣାଇବା ପାଇଁ ମୋବାଇଲ ନମ୍ବର ଜାରି କରିଛି କମିଶନରେଟ୍ ପୋଲିସ ।

  • ରାଜଧାନୀରେ ନିଶାମାଫିଆଙ୍କୁ ତଡ଼ିପାର୍
  • ନିଶା ବିକିଲେ ମିଳିବନି ନିସ୍ତାର

ରାଜଧାନୀରେ ନିଶା କାରବାର କରୁଥିବା ଲୋକ ବିରୋଧରେ ଲାଗିଛି ତଡିପାର ଛାଟ । ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର । ଚକ୍ରଧର ସାହୁଙ୍କୁ ଆଉ ୬ ମାସ ଯାଏଁ ଏବେ ରାଜଧାନୀରେ ଦେଖିବାକୁ ମିଳିବନି । ପୂର୍ବରୁ ପେଶାଦାର ଅପରାଧୀଙ୍କୁ ତଡିପାର କରାଯାଉଥିଲା । ଏବେ ପ୍ରଥମ ଥର ନିଶା ବେପାରୀଙ୍କୁ ତଡିପାର ପ୍ରକ୍ରିୟା ଆରମ୍ଭ ହୋଇଛି । ଚକ୍ରଧର ଚନ୍ଦ୍ରଶେଖରପୁର ଥାନାର ଭୋଇସାହିରେ ରହୁଥିଲା । ସେ ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ନିଶା କାରବାର କରୁଥିଲା । ୩ ବର୍ଷ ମଧ୍ୟରେ ୩ ମାମଲାରେ ଚକ୍ରଧରର ସଂପୃକ୍ତି ରହିଥିଲା । ଭୁବନେଶ୍ୱରରେ ହ୍ୱାଇଟ ସ୍ପାଇଡର ଅପରେସନକୁ ବ୍ୟାପକ କରିଛି କମିଶନରେଟ ପୁଲିସ । ବ୍ରାଉନସୁଗାର ଓ ଗଞ୍ଜେଇ କାରବାର ଉପରେ ନଜର ରଖିଛି ଟିମ୍ ।

  • ଗତ ୧ ମାସରେ ବ୍ରାଉନସୁଗାର ବେପାର ଚଳାଇଥିବା ୧୨ ଜଣ ଗିରଫ ହୋଇଛନ୍ତି
  • ୧ ମାସ ଭିତରେ ୨୧ ଜଣଙ୍କୁ ଗଂଜେଇ ଚାଲାଣ ଅଭିଯୋଗରେ ଗିରଫ

ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ମାଳମାଳ କଲେଜ ଓ ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ଏଠାରେ ରହୁଥିବା ଛାତ୍ର ଏହି ନିଶା ମାଫିଆଙ୍କ କବଳରେ ପଡୁଛନ୍ତି । ଆଉ ନିଶା ମାଫିଆମାନେ ଏହାର ଫାଇଦା ଉଠାଇ ଚୋରାରେ ନିଶା ବିକି ଯୁବପୀଢିଙ୍କୁ ପଥଭ୍ରଷ୍ଟ କରୁଛନ୍ତି, ଯାହାକୁ ନିୟନ୍ତ୍ରଣ କରିବାକୁ ଅଣ୍ଟା ଭିଡିଛି କମିଶନରେଟ ପୁଲିସ । ତେବେ ନିଶା ସମ୍ପର୍କିତ ଖବର ଜଣାଇବା ପାଇଁ କମିଶନରେଟ ପୁଲିସ ଏକ ନମ୍ବର ବି ଜାରି କରିଛି । ଏ ସମ୍ପର୍କିତ ସୂଚନା ୭୦୭୭୭୯୮୧୧୧ ନମ୍ବରରେ ଜଣାଇବା ପାଇଁ ଭୁବନେଶ୍ୱର ଡିସିପି ଅପିଲ କରିଛନ୍ତି ।