୨୧ବର୍ଷ ପରେ ପ୍ରତିଶୋଧ: ବାଲକୋନୀ ଉପରେ ଡ୍ରୋନ ଆକ୍ରମଣ, ଅଲକାଏଦା ଆତଙ୍କବାଦୀ ଅଲ ଜୱାହିରି ନିପାତ

447

କନକ ବ୍ୟୁରୋ: ୯/୧୧ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା । ୱାର୍ଲ୍ଡ ଟ୍ରେଡ୍ ଟାୱାର ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଆୟମାନ ଅଲ୍ ଜୱାହିରିକୁ ନିପାତ କରିବାରେ ସଫଳ ହୋଇଛି ଆମେରିକା ।
ରହୁଥିବା ଘରର ବାଲକୋନିରେ ବୁଲୁଥିଲା ଅଲ ଜୱାହିରି । ଏହି ସମୟରେ ସେହି ବାଲକୋନିକୁ ଟାର୍ଗେଟ କରି ଆମେରିକା ଡ୍ରୋନ ସହାୟତାରେ ଆର୯ ଏକ୍ସ ହେଲଫାୟାର ମିସାଇଲ ମାଡ କରିଥିଲା । ଆଉ ଲକ୍ଷ୍ୟ ଭେଦ କରିବାରେ ସଫଳ ହୋଇଥିଲା । ମିଜାଇଲ ମାଡରେ ନିହତ ହୋଇଛି ଅଲ ଜୱାହିରି । ଏନେଇ ନିଜେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ । ଟୁଇଟ୍ କରି ଏହାକୁ ‘ନ୍ୟାୟ’ ବୋଲି ଉଲେଖ କରିଛନ୍ତି । କହିଛନ୍ତି, ଯେଉଁମାନେ ଦେଶର କ୍ଷତି କରିବାକୁ ଚାହୁଁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ସଂକଳ୍ପବଦ୍ଧ ।

ଜୱାହିରିକୁ ମାରିବା ପାଇଁ ପୂର୍ବରୁ ଦୁଇ ଥର ଆକ୍ରମଣ କରିଥିଲା ଆମେରିକା । ହେଲେ, ଦୁଇ ଥର ଯାକ ଫେଲ ମାରିଥିଲା । ଆଉ ସୁଯୋଗ ଅପେକ୍ଷାରେ ଥିଲା । ଆଫିଗାନସ୍ଥାନ ତାଲିବାନ କବଜାକୁ ଆସିଯିବା ପରେ ଅଲ ଜୱାହିରି କାବୁଲକୁ ଚାଲି ଆସିଥିଲା । ସୁରକ୍ଷିତ ଭାବି କାବୁଲର ଏକ ଘରେ ଆଡା ଜମାଇଥିଲା । ଯାହାର ସନ୍ଧାନ ପାଇଯାଇଥିଲା ଆମେରିକାର ଗୁଇନ୍ଦା ସଂସ୍ଥା । ଆଉ ତାକୁ ନିପାତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲା । ଜୁଲାଇ ୨୫ରେ ମାରିବା ପାଇଁ ଅନୁମତି ଦେଇଥିଲେ ରାଷ୍ଟ୍ରପତି ଜୋ-ବାଇଡେନ୍ ।

ଓସାମା ବିନ୍ ଲାଦେଡନକୁ ହତ୍ୟା କରିବା ପରେ ଆମେରିକାର ନମ୍ବର ୱାନ ଟାର୍ଗେଟରେ ଥିଲା ଅଲକାଏଦାର କୁଖ୍ୟାତ ଆତଙ୍କବାଦୀ ଅଲ ଜୱାହିରି । ତା ବିଷୟରେ ସୂଚନା ଦେଲେ ୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା ।

୨୦୦୧ ସେପ୍ଟେମ୍ବର ୧୧ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩ହଜାର ଲୋକ ପ୍ରାଣ ହରାଇଥିଲେ । ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଲାଦେନ ପରେ ଦ୍ୱିତୀୟ ମୁଖ୍ୟ ଥିଲା ଅଲ ଜୱାହିରି । କେବଳ ଏତିକି ନୁହେଁ ସେ କେନିଆରେ ଥିବା ଆମେରିକା ଦୂତାବାସ ନିକଟରେ ୧୯୯୮ରେ ସିରିଜ ବିସ୍ଫୋରଣ, ୨୦୦୦ରେ ୟୁଏସଏସ କୋଲ ଆଟାରେ ଆମେରିକାର ନୌସେନା ଉପରେ ଆକ୍ରମଣ କରିଥିଲା ଅଲ ଜୱାହିରି । ଆଉ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଥିଲା ।