ତାଇୱାନ ଆସୁଛନ୍ତି ଆମେରିକା ବାଚସ୍ପତି! ନାନ୍ସି ପେଲୋସିଙ୍କ ଗସ୍ତକୁ ଚୀନର ବିରୋଧ।

69

କନକ ବ୍ୟୁରୋ: ଆମେରିକାର ସଂସଦର ବାଚସ୍ପତି ନାନ୍ସି ପେଲୋସି ଏସିଆ ଗସ୍ତରେ ଅଛନ୍ତି ।  ବର୍ତ୍ତମାନ ସେ ସିଙ୍ଗାପୁରରେ ଅଛନ୍ତି । ତେବେ ଏହାରି ଭିତରେ ତାଇୱାନ ଆସିବା ନେଇ ଚର୍ଚ୍ଚା ହେଉଛି । ଏହାକୁ ନେଇ ଚୀନ ଚିହିଁକି ଉଠିଛି । ଆଉ ଆମେରିକାକୁ ଚେତାନବନୀ ଦେଇଛି  । ଯଦି ନାନ୍ସି ତାଇୱାନ ଗସ୍ତ କରନ୍ତି ଚୀନ ସେନା ଚୁପ୍ ବସିବନାହିଁ ବୋଲି କହିଛି ବେଜିଂ । ଚୀନର ବୈଦେଶିକ ମୁଖପାତ୍ର ଜାହୋ ଲିଜିଅନ୍ କହିଛନ୍ତି, ଆମେ ସବୁ ପ୍ରକାରର ପରିସ୍ଥତିକୁ ମୁକାବିଲା କରିବାକୁ ପ୍ରସ୍ତୁତ । ଚୀନର ସାର୍ବଭୌମତ୍ୟ ଏବଂ ଅଖଣ୍ଡତାକୁ ସୁରକ୍ଷା ପାଇଁ ଚୀନର ପିଏଲଏ  କଡା ପଦକ୍ଷେପ ଗ୍ରହଣ କରିବାକୁ ପଛାଇବ ନାହିଁ । ମଙ୍ଗଳବାର ନାନ୍ସି ପେଲୋସି ତାଇୱାନ ଗସ୍ତ କରିବା ସହ ତାଇପେଇରେ ରାତି କଟାଇବା ନେଇ କିଛି ତାଇୱାନ ଗଣମାଧ୍ୟମ ରିପୋର୍ଟ କରିବା ପରେ ଏଭଳି ଚେତାବନୀ ଦେଇଛି ଚୀନ ।

ତାଇୱାନ ଗସ୍ତକୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଚୀନ ସେନା ତାଇୱାନ ଏବଂ ଚୀନର ମଧ୍ୟଭାଗ ସମୁଦରେ ଏକ ଯୁଦ୍ଧ ଜାହାଜ ମୁତୟନ କରିଛି । ଏଥିସହ ମଙ୍ଗଳବାର ତାଇୱାନ ସୀମାରେ ଚୀନ କିଛି ଯୁଦ୍ଧ ବିମାନ ଉଡାଉଥିବା ଦେଖିବାକୁ ମିଳିଛି । ଯାହା ନାନ୍ସିଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ତାଇୱାନ ମଧ୍ୟ ତାର କିଛି ଏୟାରକ୍ରାଫ୍ଟକୁ ସୀମାରେ ମୁତୟନ କରିଥିବା ଦେଖିବାକୁ ମିଳିଛି ।

ଚୀନର ଚେତାବନୀ , ଗଣମାଧ୍ୟମ ରିପୋର୍ଟ ଭିତରେ ବିଶ୍ୱର ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଏବଂ ଚୀନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଯଦି ସତରେ ନାନ୍ସି ତାଇୱାନ ଗସ୍ତ କରନ୍ତି ତେବେ ଚୀନ କଣ ପଦକ୍ଷେପ ନେଉଛି ତାହା ଉପରେ ସାରା ବିଶ୍ୱର ନଜର ରହିଛି ।