ରଥ ଉଚ୍ଚତାକୁ ନେଇ ତେଜିଲା ବିବାଦ: ଗଜପତିଙ୍କ ମନ୍ତବ୍ୟ ପରେ କେନ୍ଦୁଝରରେ ପ୍ରତିକ୍ରିୟା

390

କନକ ବ୍ୟୁରୋ: ସବୁଠୁ ଅଧିକ ଉଚ୍ଚତାର ରଥ ଭାବେ ନିକଟରେ ଗିନିଜ ବୁକ୍ ଅଫ ରେକର୍ଡସ୍ରେ ସ୍ଥାନ ପାଇଛି କେନ୍ଦୁଝର ରଥ । ଏହାକୁ ନେଇ ପୁରୀ ଗଜପତି କ୍ଷୋଭ ପ୍ରକାଶ କରିବା ପରେ କେନ୍ଦୁଝରରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଜପତିଙ୍କୁ ଏ ପ୍ରସଙ୍ଗରେ ମତ ଦେବା ପୂର୍ବରୁ ତର୍ଜମା କରିବାର ଥିଲା ବୋଲି କହିଛନ୍ତି କେନ୍ଦୁଝର ଶ୍ରୀବଳଦେବଜୀଉ ମନ୍ଦିରର ପହଣ୍ଡିଆ ସେବକ ବିପିନ ଦାସ ।

କେନ୍ଦୁଝର ସପକ୍ଷରେ ଯୁକ୍ତି ହେଉଛି
୧୬୭୧ ମସିହାରୁ କେନ୍ଦୁଝରରେ ରଥ ନିର୍ମାଣ ହୋଇଆସୁଛି
ପୂର୍ବରୁ ପୁରୀରୁ ସ୍ୱୀକୃତି ମିଳିଥାଇପାରେ
ରଥ ଭଙ୍ଗା ନଯାଇ ମରାମତି କରାଯାଇ ରଥଯାତ୍ରା କରାଯାଏ
ତେଣୁ ପୂର୍ବରୁ ଯାହା ଉଚ୍ଚତା ଥିଲା, ତାହା ହିଁ ରହିଛି

ଗଜପତିଙ୍କ ସପକ୍ଷରେ ମତ ଦେଇଛନ୍ତି ପୁରୀର ବରିଷ୍ଠ ସେବାୟତ । ସେମାନେ କହିଛନ୍ତି, କେନ୍ଦୁଝର ବଳଦେବଜିଉ ରଥ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡସରେ ସ୍ଥାନ ପାଇବା ଜଗନ୍ନାଥଙ୍କ ଭକ୍ତଙ୍କୁ ମର୍ମାହତ କରିଛି । ମହାପ୍ରଭୁଙ୍କ ରଥକୁ ନେଇ କୌଣସି ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ନହେଉ, ଯଦି କେହିପ୍ରଶାସନିକ ଅଧିକାରୀ ଏଥିରେ ସଂପୃକ୍ତି ଥାନ୍ତି, ତାହେଲେ ରାଜ୍ୟ ସରକାର ତୁରନ୍ତ ଏହା ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ବିନାୟକ ଦାସମହାପାତ୍ର ।

ଏହି ବିବାଦକୁ ମତ ପ୍ରକାଶ କରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ । ସେମାନଙ୍କ ମତରେ ଦୁଇଟି ଭିନ୍ନ ଭିନ୍ନ କଥା । ଏହାକୁ ନେଇ ବିବାଦ ସୃଷ୍ଟି କରିବା ଅନୁଚିତ । ପୁରୀ ରଥ ହିଁ ସବୁଠୁ ଉଚ୍ଚ ହେବା ଉଚିତ ବୋଲି କହିଛନ୍ତି ଗଜପତି । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ମୂଳପୀଠ ହେଉଛି ପୁରୀ । କିନ୍ତୁ କେନ୍ଦୁଝର ରଥର ଉଚ୍ଚତା ପୁରୀ ଠାରୁ ଅଧିକ କରାଯାଉଥିବାରୁ ଜଗନ୍ନାଥ ପରମ୍ପରା ପ୍ରତି କୁଠାରଘାତ । ତେଣୁ ସେଠାକାର ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ଗଜପତି କହିଛନ୍ତି । ପୁରୀରେ ନନ୍ଦିଘୋଷ ରଥର ଉଚ୍ଚତା ୪୪ ଫୁଟ ହୋଇଥିବା ବେଳେ କେନ୍ଦୁଝର ରଥର ଉଚ୍ଚତା ୭୨ ଫୁଟ । ସବୁଠୁ ଅଧିକ ଉଚ୍ଚର ରଥ ଭାବେ ଏହା ଗିନିଜ ବୁକ୍ ରେକର୍ଡସରେ ସ୍ଥାନ ପାଇଛି ।