ଓଡିଶା ନିର୍ମାଣ କନକ୍ଲେଭରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ନିବେଶ ଓ ନିଯୁକ୍ତି ସୁଯୋଗ ନେଇ ରଖିଲେ ରୋଡମ୍ୟାପ୍ ।

65

କନକ ବ୍ୟୁରୋ: ଓଡିଶା କେମିତି ହେବ ନମ୍ବର ୱାନ? ଓଡିଶା ନିର୍ମାଣ କନକ୍ଲେଭରେ ଏହି ସଂକ୍ରାନ୍ତୀୟ ଆଲୋଚନାରେ ଭାଗ ନେଇ ନିଜ ଆଭିମୁଖ୍ୟ ରଖିଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର-ରାଜ୍ୟ ମଧ୍ୟରେ ସଂପର୍କ ଆଉ ବିକାଶର ମାଧ୍ୟମକୁ ଜନତାଙ୍କ ସାମ୍ନାରେ ରଖିବା ସହ ପୂର୍ବୋଦୟ କାର୍ଯ୍ୟକ୍ରମ ଜରିଆରେ ଓଡିଶାରେ ହୋଇଥିବା ନିବେଶ ଏବଂ ନିଯୁକ୍ତି ସୁଯୋଗ ବାବଦରେ ବିଶଦ ତଥ୍ୟ ଦେଇଥିଲେ ।

ସେହିଭଳି ରାଜନୈତିକ ଦୃଷ୍ଟିକୋଣରୁ ଉଦ୍ଦିଷ୍ଟ ପ୍ରଶ୍ନର ମଧ୍ୟ ମତ ରଖି କହିଥିଲେ, ବିଜେଡି-ବିଜେପି ମଧ୍ୟରେ ସଂପର୍କ କେବଳ ଏକ ଚର୍ଚ୍ଚାର ଅଂଶବିଶେଷ । ଏହାକୁ ଯିଏ ଯେଭଳି ବିଚାର କରିବ । ବିକାଶମୂଳକ କାର୍ଯ୍ୟରେ ମିଳିମିଶି କାର୍ଯ୍ୟ କରିବାର ଉଦାହରଣ ଦେବା ସହ ରାଜନୈତିକ ଲଢେଇର ତିକ୍ତତାକୁ ଉପସ୍ଥାପନ କରି ଜନତାଙ୍କ ଉପରେ ନିଷ୍ପତ୍ତି ଛାଡିଥିଲେ । ଆଗାମୀ ଦିନରେ ଓଡିଶାରେ କ୍ଷମତାକୁ ଆସିବାକୁ ଦଳ ପ୍ରଚେଷ୍ଟା କରିବ ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଦାନ । ନନ୍ଦିଗ୍ରାମ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ କଣ ଫରକ୍ ରହିଛି ।