ଶବ ଖୋଜୁଛି ମଶାଣି : ୩ଟି ଶଶ୍ମାନ ବୁଲିଲାଣି ଶବ, ତଥାପି ମିଳୁନି ଶାନ୍ତି; ବିଭିନ୍ନ ହିନ୍ଦୁ ସଙ୍ଗଠନ ଓ ସ୍ଥାନୀୟ ଲୋକଙ୍କ ପ୍ରତିବାଦ

131

କନକ ବ୍ୟୁରୋ : ବିବାଦୀୟ ଶବକୁ ନେଇ ଉମରକୋଟରେ ଗତକାଲିଠୁ ଆରମ୍ଭ ହୋଇଥିବା ରାସ୍ତାରୋକ ତୃତୀୟ ଦିନରେ ପହଞ୍ଚିଛି । ଗତକାଲି ଡଙ୍ଗରି ସାହିର ଜଣେ ଯୁବତୀ ପୁଷ୍ପାଞ୍ଜଳି ବାଘଙ୍କ ମୃତ୍ୟୁ ଘଟିଥିଲା । ଶବ ସଂସ୍କାର ପାଇଁ ସ୍ଥାନ ନ ମିଳିବାରୁ ଘଟଣାକୁ ନେଇ ପରିବାର ବର୍ଗ ଉମରକୋଟ ଠାରୁ ଛତିଶଗଡକୁ ସଂଯୋଗ କରୁଥିବା ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ପରେ ପ୍ରଶାସନର ସହାୟତାରେ ଶବକୁ ନେଇ ଡିଏନକେ ସ୍ଥିତ ଏକଟା ଗୁଡା ନିକଟରେ ରାସ୍ତାକଡରେ ଶବ ପୋତି ଦେଇଥିଲେ ।

ଏହି ଶବ ପୋତାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଓ ହିନ୍ଦୁ ସଙ୍ଗଠନ ପକ୍ଷରୁ ଗତକାଲି ରାତିରେ ନବରଙ୍ଗପୁରରୁ ଉମରକୋଟକୁ ସଂଯୋଗ କରୁଥିବା ୩୯ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ଉମରକୋଟରେ ଗୋଟିଏ ଘଟଣାକୁ ନେଇ ଦୁଇ ଦୁଇ ଥର ରାସ୍ତାରୋକ୍ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉକ୍ତ ସ୍ଥାନରୁ ଶବକୁ ବାହାର କରି ଅନ୍ୟ ସ୍ଥାନରେ ପୋତିବାକୁ ଜିଦି ଧରିଛନ୍ତି ସ୍ଥାନୀୟ ବାସିନ୍ଦା । ସମସ୍ୟାର ସମାଧାନ ନ ହେବା ଯାଏ ରାସ୍ତାରୋକରୁ ହଟିବେ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।