ବିଜେଡି ସରକାରରେ ସୁରକ୍ଷିତ ନୁହେଁ ଶ୍ରୀମନ୍ଦିର । ବିଜେପି ସରକାର ଆସିଲେ, ସାର୍ବଜନୀନ କରିବୁ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ । ଅନୁଗୁଳରୁ ମୋଦୀଙ୍କ ସିଧା ନିଶାନା…

119

କନକ ବ୍ୟୁରୋ: ଅନୁଗୁଳରେ ବିଜେଡି ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ସିଧା ସିଧା ନବୀନ ସରକାରକୁ କଲେ ନିଶାନା । ସୋମବାର ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଜେଡି ରାଜରେ ଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟ ସୁରକ୍ଷିତ ନୁହେଁ ବୋଲି କହିବା ସହିତ ପୁଣିଥରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦୀ କହିଛନ୍ତି, ବିଜେଡି ସରକାରରେ ଜଗନ୍ନାଥଙ୍କ ମନ୍ଦିର ବି ସୁରକ୍ଷିତ ନାହିଁ । ଗତ ୬ ବର୍ଷ ହେଲା ରତ୍ନଭଣ୍ଡାରର ଚାବିର ପତ୍ତା ମିଳୁନି । ଏହା ଘଟଣାରେ୍ ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କବଜା କରିଥିବା ଲୋକ ହିଁ ସିଧା ସିଧା ଦାୟୀ । ଯାଞ୍ଚ ରିପୋର୍ଟରେ ଏମିତି କଣ ଥିଲା ଯେ, ବିଜେଡି ଏହି ରିପୋର୍ଟ ହିଁ ଚପେଇ ଦେଲା ବୋଲି ପ୍ରଶ୍ନ କରିଛନ୍ତି ମୋଦୀ । ଏଥିସହ ବିଜେଡିର ନୀରବତା ହିଁ ଲୋକଙ୍କ ସନ୍ଦେହ ବଢାଉଛି । ତେବେ ମୋଦୀ ଓଡିଶା ଲୋକଙ୍କୁ ଭରସା ଦେଉଛନ୍ତି ଯେ, ଓଡିଶାରେ ବିଜେପି ସରକାର ହେବା ମାତ୍ରେ, ବିଜେପି ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ ।

ଏଥିସହ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣ ଓଡିଶାରେ ବିଜେପି ସରକାର ବନାନ୍ତୁ । ବିଜେପି ଓଡିଶାର ପୁଅ କିମ୍ବା ଝିଅକୁ ଓଡିଶାର ମୁଖ୍ୟମନ୍ତ୍ରୀ କରିବ । ମୁଁ ପୂର୍ବରୁ ବି କହିଛି, ଆସନ୍ତା ଜୁନ୍ ୧୦ ତାରିଖରେ ଓଡିଶାରେ ଡବଲ ଇଞ୍ଜିନ ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ଏ ବିଜେଡି ସରକାରର ଯିବା ଧାର୍ଯ୍ୟ । ଏକବିଂଶ ଶତାବ୍ଦୀର ଓଡିଶାକୁ ବିକାଶର ଗତି ଦରକାର । ବିଜେଡି ସରକାର ଏ ଗତି ଦେଇପାରିବନି । ଏବେ ସମୟ ଆସିଛି ବିଜେଡିର ଢିଲା ନୀତି, ଧିମା କାମକୁ ଛାଡି ବିଜେପିକୁ ସରକାରକୁ ଚୟନ କରନ୍ତୁ ବୋଲି କହିଛନ୍ତି ମୋଦୀ ।

ଏଥିସହ ମୋଦୀ କହିଛନ୍ତି ଯେ, ବିଜେଡି ନେତା ଧାନ ଚାଷୀଙ୍କୁ ମଣ୍ଡିରେ ଲୁଟନ୍ତି । ଏଥିପାଇଁ ବିଜେପି ଗ୍ୟାରେଣ୍ଟି ଦେଇଛି, ଚାଷୀଙ୍କୁ ୩୧୦୦ ଟଙ୍କା ଏମଏସପି ଦେବ । ଖାଲି ସେତିକି ନୁହେଁ ୨ ଦିନ ଭିତରେ ଧାନର ପଇସା ତାଙ୍କ ବ୍ୟାଙ୍କ ଖାତାରେ ଜମା ହେଇଯିବ । କଟନୀ ଛଟନୀରୁ ମଧ୍ୟ ମୁକ୍ତ ହେବେ ଚାଷୀ, ମଣ୍ଡିରେ ଇଲେକ୍ଟ୍ରିକ୍ ମେସିନ୍ ମଧ୍ୟ ଲଗାହେବ ।