ଅକ୍ସଫୋର୍ଡ ବୈଜ୍ଞାନିକଙ୍କ ଅନୁଧ୍ୟାନ: ଓମିକ୍ରନ ବିରୋଧରେ ପ୍ରଭାବୀ ହେବ କୋଭିସିଲ୍ଡର ବୁଷ୍ଟର ଡୋଜ୍

130

କନକ ବ୍ୟୁରୋ: କରୋନାର ଓମିକ୍ରନ ଭାରିଏଂଟ ବଢ଼ିବା ସହ ଯେଉଁ ପ୍ରସଙ୍ଗ ନେଇ ଚର୍ଚ୍ଚା ବଢ଼ିଚାଲିଛି, ତାହେଲା ବୁଷ୍ଟର ଡୋଜ୍ । ଏସବୁ ଭିତରେ ଅକ୍ସଫୋର୍ଡ ବୈଜ୍ଞାନିକଙ୍କ ଅନୁଧ୍ୟାନରୁ ମିଳିଥିବା ତଥ୍ୟ ଅନୁସାରେ, ଓମିକ୍ରନ ବିରୋଧରେ କୋଭିସିଲଡର ବୁଷ୍ଟର ଡୋଜ୍ ପ୍ରଭାବୀ ସାବ୍ୟସ୍ତ ହେବ ।

ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଅନୁଧ୍ୟାନ କହୁଛି, ଯେଉଁମାନେ ଟିକାର ଦୁଇଟି ଡୋଜ୍ ନେଇସାରିଛନ୍ତି, ସେମାନେ ଯଦି କୋଭିସିଲଡର ଆଉ ଏକ ଡୋଜ୍ ନିଅନ୍ତି, ତାହେଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବ, ଆଉ ଏହା ଓମିକ୍ରନର ପ୍ରଭାବକୁ ମୁକାବିଲା କରିବାରେ ସଫଳ ହେବ । ରିପୋର୍ଟ ଆହୁରି କହିଛି ଯେ, ଡେଲଟା ଭାରିଏଂଟ ବିରୋଧରେ ଟିକାର ଦୁଇଟି ଡୋଜ୍ ଯାହା କାମ କରୁଥିଲା, ଏବେ ବୁଷ୍ଟର ଡୋଜ୍ ଓମିକ୍ରନ ବିରୋଧରେ ଠିକ୍ ସେପରି କାମ କରିବ । କୋଭିସିଲଡ୍ ସ୍ୱଦେଶୀ ଟିକା ହୋଇଥିବା ବେଳେ ଅକ୍ସଫୋର୍ଡ ୟୁନିଭର୍ସିଟ ଓ ଅଷ୍ଟ୍ରାଜେନିକା ସହ ମିଶି ପ୍ରସ୍ତୁତ କରିଛି ସିରମ୍ ଇନଷ୍ଟିଚ୍ୟୁଟ୍ ।

ବୁଷ୍ଟର ଡୋଜ୍ ସପକ୍ଷରେ ମତ ବଢ଼ୁଥିବା ବେଳେ ଦେଶରେ ବୁଷ୍ଟର ଡୋଜ୍ ଦିଆଯିବ କି ନାହିଁ, ସେକଥା ସ୍ପଷ୍ଟ କରିନାହାନ୍ତି କେନ୍ଦ୍ର ସରକାର । ବରଂ ଦେଶର ସବୁ ଲୋକଙ୍କୁ ଟିକାର ଦୁଇଟି ଯାକ ଟିକା ଦେବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି ।

ସେପେଟ ଓମିକ୍ରନ ସଂକ୍ରମଣ ବଢ଼ୁଥିବା ବେଳେ ଏହା କେତେ କ୍ଷତି ପହଂଚାଇବା, ଏହାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଦୁଇଟି ମହାଦେଶର ତିନିଟୋ ଦେଶରେ ହୋଇଥିବା ଗବେଷଣା ରିପୋର୍ଟ ଅନୁସାରେ, ଓମିକ୍ରନରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତି ହେବା ସଂଖ୍ୟା କମ୍ । ନଜର ପକାନ୍ତୁ ଏହି ଗବେଷଣା ଉପରେ
ଆଟଲାଂଟ ୟୁନିଭର୍ସିଟି, କାଲିଫର୍ଣ୍ଣିଆ ୟୁନିଭର୍ସିଟି ଓ ଲଣ୍ଡନର ଇମ୍ପେରିଆଲ କଲେଜର ଗବେଷକ ଏହି ଅନୁଧ୍ୟାନ କରିଛନ୍ତି
ଦକ୍ଷିଣ ଆଫ୍ରିକା, ସ୍କଟଲାଣ୍ଡ ଓ ଇଂଲଣ୍ଡରେ ଏହି ଗବେଷଣା ହୋଇଛି ।
ଡେଲଟା ତୁଳନାରେ କମ୍ କ୍ଷତିକାରକ ଓମିକ୍ରନ ଭାରିଏଂଟ
ଓମିକ୍ରନରେ ଆକ୍ରାନ୍ତ ଗୁରୁତର ହେବା ଆଶଙ୍କା କମ୍
ଓମିକ୍ରନରେ ଆକ୍ରାନ୍ତ ରୋଗୀ ହସ୍ପିଟାଲରେ ଭର୍ତି ହେବା ଆଶଙ୍କା କମ୍
ଡେଲଟା ତୁଳନାରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଆକ୍ରାନ୍ତ ୭୦% କମ୍ ହସ୍ପିଟାଲରେ ଭର୍ତି ହୋଇଛନ୍ତି
ଓମିକ୍ରନ ସଂକ୍ରମଣ ଏବେ ଆମେରିକା ଓ ୟୁରୋପୀୟ ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି
ଆମେରିକାରେ କରୋନାର ଦୈନିକ ସଂକ୍ରମଣ ଦେଢ଼ଲକ୍ଷ ଛୁଇଁଛି
ବ୍ରିଟେନରେ ଦୈନିକ ସଂକ୍ରମଣ ଏକ ଲକ୍ଷ ଟପିସାରିଛି 

ସେପଟେ ବିଲ ଗେଟସ୍ ଆକଳନ କରିଛନ୍ତି ଯେ, ଖୁବଶୀଘ୍ର ଓମିକ୍ରନ ବିଶ୍ୱର ସବୁ ଦେଶରେ କାୟା ବିସ୍ତାର କରିସାରିଥିବ । ଯଦିଓ ଏହା କମ୍ କ୍ଷତିକାରକ, ହେଲେ ଏହାର ସଂକ୍ରମଣର ଦ୍ରୁତ ହାର ଅସୁବିଧା ସୃଷ୍ଟି କରିବ । ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ପରାମର୍ଶ ଦେଇଛି, ତାହା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଅଧିକ ବିପଦ ଥିବା ଜନସଂଖ୍ୟା ଓ ସ୍ୱସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ସପକ୍ଷରେ ମତ ରଖିଛି ସଂଗଠନ ।