ଦଶମ ପରେ ଏବେ ନବମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ଲିକ ଅଭିଯୋଗ । ବୋର୍ଡ ପକ୍ଷରୁ ମିଳିନାହିଁ କୌଣସି ପ୍ରତିକ୍ରିୟା

204

କନକ ବ୍ୟୁରୋ : ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା । ବୋର୍ଡ ପକ୍ଷରୁ ଅନୁଷ୍ଠିତ ଏହି ପରୀକ୍ଷା ଦେଉଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ । ହେଲେ ପରୀକ୍ଷା ଦୁଇଦିନ ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ସହ ଏହାର ଉତର ଘୁରି ବୁଲୁଛି । ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନପତ୍ର ଆଉ ସୋସିଆଲ ମିଡିଆରେ ଉପଲବ୍ଧ ପ୍ରଶ୍ନପତ୍ର ଉଭୟ ସଂପୂର୍ଣ୍ଣ ସମାନ ବୋଲି କହିଛନ୍ତି ପରୀକ୍ଷାର୍ଥୀ ।

ଦଶମ ବୋର୍ଡ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ଆସିଥିଲା । ଏବେ ନବମ ଶ୍ରେଣୀ ପରୀକ୍ଷା ସମୟରେ ମଧ୍ୟ ସମାନ ଅଭିଯୋଗ ଆସିଛି । ପ୍ରଶ୍ନପତ୍ର ଲିକକୁ ନେଇ ବୋର୍ଡକୁ କଡା ସମାଲୋଚନା କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ, ଓଷ୍ଟା । ଅଭିଭାବକ ମହଲ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ।
ପରୀକ୍ଷାର ଦୁଇଦିନ ପୁର୍ବରୁ ଅଫିସିଆଲ ସାଇଟରେ ପଡୁଛି ପ୍ରଶ୍ନପତ୍ର
ପ୍ରଶ୍ନପତ୍ର ଡାଉନଲୋଡ ପାଇଁ ସ୍କୁଲ କର୍ତୃପକ୍ଷଙ୍କୁ ଦିଆଯାଉଛି ଆଇଡି ଓ ପାସୱାର୍ଡ
ସମସ୍ତ ସ୍କୁଲରେ ପ୍ରିଂଟର ସୁବିଧା ନାହିଁ
କେତେକ ସ୍କୁଲ କର୍ତୃପକ୍ଷ ଦୋକାନ, ସାଇବର କାଫେ ଉପରେ ନିର୍ଭର କରୁଛନ୍ତି
ସେହିଠାରୁ ହିଁ ପ୍ରଶ୍ନପତ୍ର ଲିକ ହୋଇଥିବା ଅନୁମାନ କରାଯାଉଛି ।

ନବମ ଶ୍ରେଣୀ ପ୍ରଶ୍ନପତ୍ର ଲିକ ନେଇ ବୋର୍ଡ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଯଦି ପରୀକ୍ଷା ପୂର୍ବରୁ ଏପରି ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବ, ତେବେ ସଠିକ ମୂଲ୍ୟାୟନ କିଭଳି ହେବ? ସେନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।