୧୫ ବର୍ଷ ପରେ କଡ଼ ଲେଉଟାଉଛି ଇତିହାସ । ୨୦୦୦ ଓ ୨୦୦୪ରେ ଏକାଠି ସରକାର ଗଢିଥିଲେ ବିଜେଡି-ବିଜେପି । ପଢନ୍ତୁ, ପୁରୁଣା ମେଣ୍ଟର କାହାଣୀ…

622

କନକ ବ୍ୟୁରୋ: ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜେଡି ଗଠନ ହେବା ପରେ ଜାତୀୟ ରାଜନୀତିରେ ଏନଡିଏକୁ ସମର୍ଥନ ଦେଇଥିଲା ଦଳ । ଏଇଠୁ ରାଜ୍ୟରେ ଆରମ୍ଭ ହୋଇଥିଲା ମେଣ୍ଟ ରାଜନୀତି । ୨୦୦୦ ମସିହାରେ ଉଭୟ ଦଳ ଏକାଠି ହୋଇ ବିଧାନସଭା ନିର୍ବାଚନ ଲଢିଥିଲେ । ବିଜେଡି-ବିଜେପି ୮୪:୬୩ ଅନୁପାତରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ବିଜେଡି ୬୮ ଓ ବିଜେପି ୩୮ ଆସନରେ ବିଜୟୀ ହୋଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଗଢ଼ା ହୋଇଥିଲା ସରକାର । କଂଗ୍ରେସକୁ ମାତ୍ର ୨୬ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।୨୦୦୪ରେ ବାଜପାୟୀ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବର୍ଷକ ପୂର୍ବରୁ ରାଜ୍ୟ ସରକାରକୁ ଭାଙ୍ଗି ଏକାଠି ନିର୍ବାଚନକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ୮୪:୬୩ ଅନୁପାତରେ ଆସନ ବୁଝାମଣା କରିଥିଲେ ବିଜେଡି ଓ ବିଜେପି । ଆଉ ଲୋକସଭାରେ ରହିଥିଲା ୧୨:୯ ଅନୁପାତ । ୨୦୦୪ରେ ୬୧ ଆସନରେ ଜିତିଥିଲା ବିଜେଡି ଓ ବିଜେପି ୩୨ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ମାତ୍ର ୩୮ ସିଟ୍ରେ ବିଜୟୀ ହୋଇଥିଲା । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ ।

କିନ୍ତୁ ୨୦୦୯ରେ ଏନଡିଏରୁ ଓହରି ଆସିଥିଲା ବିଜେଡି । ଆଉ ବିଜେପି ସହ ମେଣ୍ଟ ଭାଙ୍ଗି ଯାଇଥିଲା । ଲାଲକୃଷ୍ଣ ଆଡଭାନୀଙ୍କ ସବୁ ଉଦ୍ୟମ ଫେଲ୍ ମାରିଥିଲା । କନ୍ଧମାଳ ଦଙ୍ଗାକୁ ପ୍ରସଙ୍ଗ କରି ଏକତରଫା ଭାବେ ମେଣ୍ଟରୁ ବାହାରି ଆସି ଏକାକୀ ନିର୍ବାଚନ ଲଢ଼ି ୧୦୩ ଆସନରେ ବିଜୟୀ ହେବା ସହ ସରକାର ଗଢିଥିଲା ବିଜେଡି । ତୃ୍ତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ । ଏହା ପରଠାରୁ ବିଜେଡି ନିରଙ୍କୁଶ ଭାବେ କ୍ଷମତାରେ ରହିଛି । ଲୋକପ୍ରିୟତା ଗ୍ରାଫ୍ ମଧ୍ୟ ଉପରକୁ ଉଠି ଚାଲିଛି ।

ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ହେନରୀ ଜନ୍ ଟେମ୍ପଲଙ୍କ ଏକ କୋଟେସନ୍ର ଆଜି ବି ଗୁରୁତ୍ୱ ରହିଛି । ରାଜନୀତିରେ କେହି ଚିରକାଳ ଶତ୍ରୁ ବା ମିତ୍ର ନୁହନ୍ତି, ରାଜନୈତିକ ସ୍ୱାର୍ଥ ହିଁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।