କେଉଁଠି ପଡ଼ିଥିଲା ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାର ମୂଳଦୁଆ? କେଉଁ କେଉଁ ଘଟଣା ଆହୁରି ବଢ଼ାଇଲା ଚର୍ଚ୍ଚା?

594

କନକ ବ୍ୟୁରୋ: ଭିତରେ ଭିତରେ ହେଉଥିବା ଚର୍ଚ୍ଚା, ଏବେ ଖୋଲା ଖୋଲି ଆଲୋଚନା ହେଉଛି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଏବଂ ଓଡ଼ିଶାରେ ଶାସନ କରୁଥିବା ବିଜେଡ଼ି ଭିତରେ ମେଣ୍ଟ ହେବ, ଏଭଳି କିଛି ଚର୍ଚ୍ଚା ଦିନ ତମାମ୍ ଚାଲିଛି । ଆଉ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ବିଜେଡି କାର୍ଯ୍ୟାଳୟରେ ଦେଖା ଦେଇଥିବା ତତ୍ପରତା ଏବଂ ଦିଲ୍ଲୀ ଯାଇଥିବା ବିଜେପି ନେତାଙ୍କ ବ୍ୟଗ୍ରତା । ଏଭଳି ସ୍ଥିତିରେ କେବଳ ଓଡ଼ିଶା କାହିଁକି ସାରା ଦେଶର ନଜର ଏହି ଘଟଣା ଉପରେ ରହିଛି ।

  • କେଉଁଠି ପିଡ଼ିଥିଲା ମେଣ୍ଟ ଚର୍ଚ୍ଚା ମୂଳଦୁଆ?
  • କେଉଁ କେଉଁ ଘଟଣା ଆହୁରି ବଢ଼ାଇଲା ଚର୍ଚ୍ଚା?

ଗତ ଡିସେମ୍ବର ମାସରେ ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ଗସ୍ତରେ ଆସିଥିଲେ, ମେଣ୍ଟ ଚର୍ଚ୍ଚାର ମୂଳଦୁଆ ଆରମ୍ଭ ହୋଇଥିଲା । ବିଜେଡି ପ୍ରତି ବିଜେପିର ନରମ ଆଭିମୁଖ୍ୟ ଏହି ଚର୍ଚ୍ଚାକୁ ମଜବୁତ କରିଥିଲା । ଯଦିଓ ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ଅନେକ ସମୟରେ କେନ୍ଦ୍ରର ବିଜେପି ସରକାରଙ୍କୁ, ସୁବିଧା ଓ ସୁଯୋଗ ଦେଥି ସଂସଦରେ ସହଯୋଗ ଦେଉଥିଲା, ତଥାପି ମେଣ୍ଟ ଚର୍ଚ୍ଚା ହେଉନଥିଲା । କିନ୍ତୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଯେତେବେଳେ ରାଜ୍ୟସଭାକୁ ପଠାଇବା ପାଇଁ ବିଜେପି ନିଷ୍ପତି କରିଥିଲା, ଏଥିରେ ସହଯୋଗ କରିବା ପାଇଁ ଆଗେଇ ଆସିଥିଲା ବିଜେଡି । ଆଉ ପୁଣି ଥରେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିଲା ।

ଏହି ଚର୍ଚ୍ଚା ଭିତରେ ଯେତେବେଳେ ବି ଖୋଲାଖୋଲି ବିଜେପି କିମ୍ବା ବିଜେଡିକୁ ମେଣ୍ଟ କଥା ପଚାଯାଉଥିଲା, ଉଭୟ ଦଳ ସିଧାସଳଖ ଏହି ଚର୍ଚ୍ଚାକୁ ଆଡେଇ ଯାଉଥିଲେ । ଏମିତି କି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକାଧିକ ଥର କହିଥିଲେ, ଏହା କେବଳ ଗଣମାଧ୍ୟମର ପରିକଳ୍ପନା ମାତ୍ର । ଦଳ ୧୪୭ ଆସନରେ ଲଢ଼ିବ । କିନ୍ତୁ ଏସବୁ ଭିତରେ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦୁଇଟି ଜନସଭା, ସ୍ଥିତିକୁ ହୁଏତ ସ୍ପଷ୍ଟ କରିଦେଲା । ସମ୍ବଲପୁର ସଭାରେ ପ୍ରଧାନମନ୍ତ୍ରୀ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲେ, ଚଣ୍ଡିଖୋଲ ସଭାରେ ତାର ଯେମିତି କେବଳ ପୁନଃ ପ୍ରସାରଣ ହୋଇଥିଲା । ଓଡ଼ିଶାରେ ଏକ ପ୍ରକାର ଖାତାଖତିଆଣ ନଥିବା କଂଗ୍ରେସକୁ ବର୍ଷିଲେ ସିନା, ଓଡ଼ିଶାରେ ଶାସନ କରୁଥିବା ବିଜେଡି ବିରୁଦ୍ଧରେ ପଦୁଟିଏ କଥା କହିଲେନି ପ୍ରଧାନମନ୍ତ୍ରୀ । ଚଣ୍ଡିଖୋଲରେ ୪୦୦ ପାର୍ କଥା କହିଲେ, ହେଲେ ନବୀନ ସରକାର ବିରୁଦ୍ଧରେ କିଛି କହିଲେନି ।

ଗୋଟି ଗୋଟି କରି ଯଦି ସମ୍ଭାବନାର ସମସ୍ତ ବିନ୍ଦୁକୁ ଯୋଡ଼ି ଦିଆଯିବ, ତେବେ କେଉଁଠି ନା କେଉଁଠି ମେଂଟର ମୂଳଦୁଆ କେବେଠୁ ପଡ଼ିଥିଲା ତାହା ଅନୁମାନ କରିହେବ । ଏଭଳି ସ୍ଥିିତିରେ ସମସ୍ତେ ସେହି ଘୋଷଣାକୁ ଅପେକ୍ଷା କରି ରହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେଉଛି ।