ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ ଓ ଅବକାରୀ ବିଭାଗ । ପିକନିକ ପ୍ଲେସ, ବାର, କ୍ଲବ ଓ ପବରେ ଚାଲିଛି ଯାଂଚ

216

କନକ ବ୍ୟୁରୋ : କମିସନରେଟ ପୁଲିସର କଡ଼ା ଚେତାବନୀ । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି । ଜିରୋ ନାଇଟରେ ମତୁଆଲା ହୁଅ ହେଲେ ମଦ ପିଇ ରାସ୍ତାକୁ ଓହ୍ଲାଅନି । ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ ଓ ଅବକାରୀ ବିଭାଗ । ଆଜିଠାରୁ ପିକନିକ ପ୍ଲେସ, ବାର, କ୍ଲବ, ପବ ଓ ହୋଟେଲରେ ଯାଂଚ କରାଯିବ । ବଡ଼ଦିନ ଓ ୨୦୨୪କୁ ସ୍ୱାଗତ କରିବାପାଇଁ ହୋଟେଲ, ପବ ଓ କ୍ଲବ ପ୍ରସ୍ତୁତ ହୋଇ ରହିଛି । ଅନ୍ୟପଟେ ସେମାନଙ୍କ ଉପରେ ନଜର ରଖିଛି କମିସନରେଟ ପୋଲିସ ଓ ଅବକାରୀ ବିଭାଗ ।

ରାତି ୧୨ଟା ପରେ କ୍ଲବ୍, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ତେବେ ଚଳିତ ବର୍ଷ ଜିରୋନାଇଟ ସେଲିବ୍ରେସନ ନେଇ କୌଣସି ଇଭେଂଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଂଖଳା ଦୃଷ୍ଟିରୁ ଅନୁମତି ମିଳିବ ନାହିଁ । ନୂଆବର୍ଷ ଆଗକୁ ଆସୁଥିବା ବେଳେ ସହରକୁ ରୂପଜୀବୀ ଆସିବାର ଆଶଙ୍କା କରାଯାଉଛି । ଏଥିପାଇଁ ପୋଲିସର ସ୍ୱତନ୍ତ୍ର ନଜର ରହିଛି । ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖରେ ଟ୍ୱିନ ସିଟିରେ ପୁଲିସ ବ୍ୟାପକ ମାତ୍ରାରେ ପଇଁତରା ମାରିବେ । ଭିଡ଼ ନିୟନ୍ତ୍ରଣ ଓ ଡ୍ରଙ୍କ ଆଣ୍ଡ ଡ୍ରାଇଭ ରୋକିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଚେକିଙ୍ଗ କରିବା ସହ ନାକାବନ୍ଦୀ କରିବ । ବଡ଼ଦିନ ପାଇଁ ଚର୍ଚ୍ଚ, ପିକନିକ ପ୍ଲେସରେ ମଦ୍ୟପଙ୍କ ଉତ୍ପାତ ରୋକିବା ପାଇଁ ପ୍ରତ୍ୟେକ ଥାନାକୁ ବ୍ରେଥ ଆନାଲାଇଜର ଦିଆଯାଇଥିବା କହିଛନ୍ତି ଡିସିପି ।

ରୋଡ଼ ରୋମିଓଙ୍କୁ ସାବାଡ଼ କରିବାକୁ ରାସ୍ତା ଉପରେ ବାରିକେଡ଼ ଲଗାଇ, ବିଭିନ୍ନ ଛକରେ ନାକାବନ୍ଦୀ କରିବା ସହ ରାତି ସାରା ପାଟ୍ରୋଲିଂ କରିବ କମିସନରେଟ ପୋଲିସ ।