‘ତେଲେଙ୍ଗାନା ସୋନା’ ଧାନ ଚାଷ କରି ଚର୍ଚ୍ଚାରେ ବିଂଝାରପୁରର ଚାଷୀ । ଡାଏବେଟିସ୍ ରୋଗୀ ଖାଇପାରିବେ ଏହି ଧାନରୁ ପ୍ରସ୍ତୁତ ଭାତ

301

କନକ ବ୍ୟୁରୋ : କ୍ଷେତରେ ଫଳିଥିବା ଏହି ଧାନର ନାଁ ହେଉଛି ଆରଏନଆର-ପନ୍ଦର-ଶୁନ୍-ଅଡଚାଳିଶ ତଥା ‘ତେଲେଙ୍ଗାନା ସୋନା’ । ଗବେଷଣା ମୁତାବକ, ସାଧାରଣ ଧାନ ଠାରୁ ଏହି ଧାନରେ ୫୦ ପ୍ରତିଶତ କମ୍ କାର୍ବୋହାଇଡ୍ରେଟ୍ ରହିଥାଏ । ତେଣୁ ଏହି ଚାଉଳରୁ ପ୍ରସ୍ତୁତ ଭାତ ଖାଇପାରିବେ ଡାଏବେଟିସ୍ ରୋଗୀ । ଏହି ଧାନରେ ୫୧ ଦଶମିକ ୫ ପ୍ରତିଶତ ଗ୍ଲାଏସେମିକ୍ ଇଣ୍ଡେକ୍ସ ରହିଛି    । ୧୨୫ ଦିନରେ ଅମଳ ହୋଇଥାଏ ଏହି ଧାନ । ଏଭଳି ଏକ ଧାନ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ବିଞ୍ଝାରପୁର ଇଞ୍ଜନପୁର ଗାଁର ଚାଷୀ ଉମେଶ ଚନ୍ଦ୍ର ନାୟକ । ପାଖାପାଖି ୫ ଗୁଣ୍ଠ ଜମିରେ ସେ ଏହି ଧାନ ଚାଷ କରିଛନ୍ତି । ଏଥିପାଇଁ ତାଙ୍କୁ ୪ରୁ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ୩ କୁଇଂଟାଲ ଧାନ ଅମଳ ହେବାର ଆଶା ରଖିଛନ୍ତି ଚାଷୀ । ଏହାକୁ ସେ ବିହନ ଆକାରରେ ବିକ୍ରି କରିବା ପାଇଁ ଯୋଜନା କରିଛନ୍ତି ।

ଉମେଶ ଚନ୍ଦ୍ର ନାୟକ । ଯିଏ କି ଦିନେ ଏକ ମେଡ଼ିସିନ୍ କମ୍ପାନୀରେ ଚାକିରି କରୁଥିଲେ । ବାର୍ଷିକ ମୋଟା ଅଙ୍କର ଦରମା ପାଉଥିଲେ । କିନ୍ତୁ ଚାକିରି କରିବାରେ ତାଙ୍କୁ ସନ୍ତୁଷ୍ଟି ମିଳିନଥିଲା । ଘରେ ଘରେ ଡାଏବେଟିସ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ କାର୍ବୋହାଡ୍ରେଟ୍ ଜାତୀୟ ଖାଦ୍ୟ ଖାଇବା ଏମାନଙ୍କ ପାଇଁ ବଡ଼ ସମସ୍ୟା ହୋଇଛି । ତେଣୁ ତେଲେଙ୍ଗାନାରୁ ଆରଏନଆର-୧୫୦୪୮ ଧାନ ବିଷୟରେ ଜାଣି ଏହି ଚାଷ କରୁଛନ୍ତି ଚାଷୀ ଉମେଶ ନାୟକ । ଡାକ୍ତରଙ୍କ ସୂଚନା ଅନୁସାରେ ଏହି ଚାଉଳରେ କମ୍ ଗ୍ଲାଏସେମିକ୍ ଇଣ୍ଡେକ୍ସ ରହିଛି । ଯାହାକି ମଧୁମେହ ରୋଗୀଙ୍କ ପାଇଁ ଅଧିକ ଉପଯୋଗୀ । ଅନ୍ୟ ଚାଉଳରେ କାର୍ବୋହାଇଡ୍ରେଟ୍ ଅଧିକ ପରିମାଣର ଥାଏ । ଏହି ଚାଉଳର ଭାତ ଖାଇଲେ ମଧୁମେହ ରୋଗୀଙ୍କ ପାଇଁ କିଛି ଅସୁବିଧା ନଥିବା କହିଛନ୍ତି ଡାକ୍ତର ।

ତେଲେଙ୍ଗାନାରୁ ୧୮ଶହ ଟଙ୍କା ମୂଲ୍ୟର ୨ କିଲୋ ବିହନ କିଣି ଏହି ଚାଷ କରିଛନ୍ତି ଉମେଶ । ବିକ୍ରି କରିବା ପାଇଁ ମାର୍କେଟିଙ୍ଗ ବ୍ୟବସ୍ଥା ହୋଇପାରିଲେ ଏହି ଧାନା ଚାଷ କରି ଚାଷୀ ଲାଭବାନ ହୋଇପାରନ୍ତେ ବୋଲି ସେ କହିଛନ୍ତି ।