ଜାନୁଆରୀରେ ଓଡିଶାରେ ହୋଇପାରେ ବଡ ଶକ୍ତି ପ୍ରଦର୍ଶନ । ନବୀନକୁ ଟକ୍କର ଦେବାକୁ ଆସିବେ ମୋଦୀ ଓ ରାହୁଲ

194

କନକ ବ୍ୟୁରୋ : ଜାନ୍ରୁଆରୀ ମାସରେ ଓଡିଶାରେ ଦେଖିବାକୁ ମିଳିପାରେ ବଡ ରାଜନୈତିକ ହଲଚଲ । ବିଜେଡି ସୁପ୍ରିମୋ ଜିଲ୍ଳା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ, ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ଫୋକସରେ ରହିଛି ଓଡିଶା । ଦୁଇ ଦଳ ସେମାନଙ୍କ ଶୀର୍ଷ ନେତୃତ୍ୱଙ୍କୁ ଓଡିଶାକୁ ଆଣି ଶକ୍ତି ପ୍ରଦର୍ଶନ କରିବାକୁ ସଜବାଜ ହେଉଛନ୍ତି ।

ବିଧିବଦ୍ଧ ଭାବେ ଦଳ ପକ୍ଷରୁ ଘୋଷଣା ହୋଇନଥିଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ମାସରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ମାସରେ ମୋଦୀଙ୍କ ଓଡିଶା ଗସ୍ତ ବାତିଲ ହୋଇଥିବାରୁ ଜାନୁଆରୀରେ ଆସିବେ ବୋଲି ଆଶା ରଖିଛନ୍ତି ବିଜେପି ନେତା । ସେହିପରି ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା, ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡାଙ୍କ ସମେତ ଅନ୍ୟ ଜାତୀୟ ସ୍ତରର ନେତା ମଧ୍ୟ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଜାନୁଆରୀରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଆଉ ଦୁଇ ଦଳର ନେତା ଆସିବାକୁ ଥିବାରୁ ଉତ୍ସାହିତ ଅଛନ୍ତି ଉଭୟ ଦଳର ନେତା ।

ଯଦି ବିଜେପି ଓ କଂଗ୍ରେସର ଶୀର୍ଷ ନେତୃତ୍ୱ ଜାନୁଆରୀରେ ଓଡିଶାକୁ ଆସନ୍ତି, ତାହେଲେ, ରାଜ୍ୟ ରାଜନୀତି ଆହୁରି ସରଗରମ ହେବ । ତେବେ ଓଡିଶାକୁ ଯିଏ ଆସିଲେ ବି ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ।

ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକିଥିବାବେଳେ, ଓଡିଶାରେ ଶାସନରେ ଥିବା ବିଜେଡି କେନ୍ଦ୍ରସ୍ତରର କୌଣସି ରାଜନୈତିକ ମେଂଟରେ ସାମିଲ ହୋଇନି । ତେଣୁ ଉଭୟ ବିଜେପି ଓ କଂଗ୍ରେସ ପାଇଁ ଓଡିଶା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।