ନବୀନଙ୍କୁ ମୋଦୀଙ୍କ ପ୍ରଶଂସା ପରେ ଦ୍ୱନ୍ଦ୍ୱରେ ରାଜ୍ୟ ବିଜେପି : ବିଜେଡି ସରକାରଙ୍କ କେଉଁ ଦୁର୍ବଳତା କଥା କହି ଜନମତକୁ କରିବେ ପ୍ରଭାବିତ

ଖଣି ସଂସ୍କାରରେ କେନ୍ଦ୍ର ସହ କାନ୍ଧ ମିଳାଇ ଓଡ଼ିଶା କାମ କରୁଥିବା କହିଥିଲେ ପ୍ରଧାନମନ୍ତ୍ରୀ

147

କନକ ବ୍ୟୁରୋ : ପଂଚାୟତ ଭୋଟ୍ ପଡିବା ପୂର୍ବରୁ ସଂସଦରେ ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ରାଜ୍ୟ ବିଜେପିକୁ ଅଡୁଆରେ ପକାଇଛି । କାରଣ ଦୁଇ ଦଳ ତୃଣମୁଳ ସ୍ତରରେ ସବୁଠାରୁ ବଡ ଲଢେଇ କରୁଛନ୍ତି । ଗାଁ ଗହଳିରେ ଏହାର ପ୍ରଭାବ କଣ ରହିବ, ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ରାଜ୍ୟ ବିଜେପିର ଛାମୁଆଁ ନେତା ।

୨୦୧୭ ପରଠାରୁ ବିଜେପି ଓ ବିଜେଡି ମଧ୍ୟରେ ସିଧା କ୍ଷମତାକୁ ନେଇ ଲଢେଇ ଚାଲିଛି । ୨୦୧୯ ସାଧାରଣ ନିର୍ବାଚନ, ଉପ-ନିର୍ବାଚନ, ୨୦୨୨ର ପଂଚାୟତ ନିର୍ବାଚନ । ସବୁଠି ଦୁଇ ଦଳ ମଧ୍ୟରେ ତିକ୍ତତା ଚରମ ସୀମାରେ । ହେଲେ ଚଳିତଥର ଏହାର ବ୍ୟତିକ୍ରମ ବେଶ ବାରି ହେଉଥିବା ବେଳେ, ମୋଦିଙ୍କ ବୟାନ ବିଜେପିକୁ ଦ୍ୱନ୍ଦ୍ୱ ଭିତରକୁ ଠେଲି ଦେଇଛି । ଭୋଟରଙ୍କ ଉପରେ ମମିତା ମେହେରଠାରୁ ଆରମ୍ଭ କରି ଆବାସ ଦୁର୍ନୀତି ଯାଏଁ ପ୍ରସଙ୍ଗର କଣ ପ୍ରଭାବ ରହିବ ତାକୁ ନେଇ ସନ୍ଦେହ ଉପୁଜିଛି ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାର ପ୍ରସ୍ତାବ ବେଳେ କଂଗ୍ରେସକୁ ସମାଲୋଚନା କରି ଓଡିଶାରେ ବିଜେଡି ସରକାରଙ୍କୁ ପ୍ରଶଂସା କରିଥିଲେ ମୋଦୀ । ଖଣିଜ କ୍ଷେତ୍ରରେ ଆସିଥିବା ସୁଧାର କିଭଳି ଦେଶକୁ ବିକାଶ ପଥରେ ଆଗେଇ ନେଉଛି ଏବଂ ରାଜ୍ୟ ଗୁଡିକର ରାଜସ୍ୱ ବଢୁଛି, ସେନେଇ ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟରେ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥିବା କହି ପ୍ରଶଂସା କରିଥିଲେ ମୋଦୀ ।