ଭଙ୍ଗା କୁଡିଆରେ ଚାଲିଛି ପାଠପଢା । ପଲିଥିନ୍ ଘେରା ଘରେ ପାଠ ପଢୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ।

43

କନକ ବ୍ୟୁରୋ: ଭଙ୍ଗା କୁଡିଆରେ ଚାଲିଛି ଭବିଷ୍ୟତ ଗଢା । ଚାଳିଆ ତଳେ ଚାଲିଛି ପାଠ ପଢା । ଚାଳ ଛପର ଘର ଆଉ ବେଢା ହୋଇଛି ପଲିଥିନ୍ । ତାହାରି ତଳେ ବସି ପାଠ ପଢୁଛନ୍ତି କୁନି କୁନି ପିଲା । ଏ ଘଟଣା ଦିନେ କି ଦୁଇ ଦିନର ନୁହେଁ ଦୀର୍ଘ ୭ବର୍ଷ ହେଲା ଭଙ୍ଗା ରୁଜା ଚାଳିଆ ତଳେ ପାଠପଢା ଚାଲିଛି । ନବରଙ୍ଗପୁର ତେନ୍ତୁଳିଖୁଂଟା ଘୁମରଦୋରା ବିଦ୍ୟାଳୟର ସ୍କୁଲ ଘର ନଥିବାରୁ ବହୁବାର ଅଭିଯୋଗ ହୋଇ ଟଙ୍କା ଆସିଛି । ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ ସ୍କୁଲ ଘର ଆରମ୍ଭ ହୋଇ ଅଧାପନ୍ତରିଆ ହୋଇ ପଡିରହିଛି । ପ୍ରଥମରୁ ପଞ୍ଚମ ଶ୍ରଣୀ ଯାଏ ପିଲା ପାଠ ପଢୁଥିବା ବେଳେ ଏବେ ରହିଛନ୍ତି ୩୨ ଜଣ ପିଲା । ଖରା ହେଉ କି ବର୍ଷା । ସବୁ ଦିନ ଏହି ଭଙ୍ଗା ଝୁମ୍ପୁଡିରେ ପାଠପଢା ହେଉଛି । ଅନ୍ୟ ଦିନ ଦୂର କଥା ଏଠି ବର୍ଷା ଦିନର ଅବସ୍ଥା ନକହିବା ଭଲ । ବର୍ଷାରେ ଓଦା ହୋଇ ପିଲା ପାଠପଢୁଛନ୍ତି । ଏମିତିକି ବର୍ଷାରେ ସାପ, ବିଛା ଭଳି ବିଷାକ୍ତ ଜନ୍ତୁର ଭୟ ଥିବ ବେଳେ ଲଗାତର ବର୍ଷା ହେଲେ ପାଠ ପଢା ମଧ୍ୟ ବନ୍ଦ ରହିଥାଏ । ଏହି ସମସ୍ୟା ନେଇ ଖୁବଶୀଘ୍ର ସ୍କୁଲ କାମ ଶେଷ କରିବାକୁ ଦାବି ହେଉଥିବା ବେଳେ ସେପଟେ କାମ ଶୀଘ୍ର ସରିଯିବ ବୋଲି କହିଛନ୍ତି ସିଆରସିସି ।