ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ଚର୍ଚ୍ଚା । ନବ ଦାସଙ୍କୁ ଦର୍ଶାଯାଇଛି ପ୍ରଥମ ସାକ୍ଷୀ । ବରିଷ୍ଠ ଆଇନଜୀବୀଙ୍କ ସମାଲୋଚନା

962

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ କାହିଁକି ମାରିଲା, ତାହା ଏବେ ବି ରହସ୍ୟରେ ରହିଛି । ନବ ଦାସଙ୍କ ଗୋପାଳ ହତ୍ୟା କରିବାର ସ୍ପଷ୍ଟ କରିପାରିନି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ । କିନ୍ତୁ ଏହା ଭିତରେ ସାମନାକୁ ଆସିଛି, କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟରେ ଏକ ବଡ ତ୍ରୁଟି । ଚାର୍ଜସିଟ୍ ଅନୁସାରେ ନିଜ ମୃତ୍ୟୁର ନିଜେ ସାକ୍ଷୀ ବନିଛନ୍ତି ନବ ଦାସ । ତେଣୁ ଜଣେ ମୃତବ୍ୟକ୍ତି କିଭଳି ନିଜର ପ୍ରଥମ ସାକ୍ଷୀ ପାଲଟିଲେ ସେନେଇ ପ୍ରଶ୍ନ ଉଠିଛି ।

  • ନିଜ ମୃତ୍ୟୁର ନିଜେ ସାକ୍ଷୀ ନବ ଦାସ!
  • କ୍ରାଇମବ୍ରାଞ୍ଚ ଅବହେଳାକୁ ନେଇ ଉଠିଲା ପ୍ରଶ୍ନ

ଝାରସୁଗୁଡା ଏସଡିଜେଏମ କୋର୍ଟରେ କ୍ରାଇମବ୍ରାଞ୍ଚ୍ ଦାଖଲ କରିଛି ଚାର୍ଜସିଟ୍ । ନବ ଦାସ ହତ୍ୟା ମାମଲାରେ ତଦନ୍ତକାରୀ ସଂସ୍ଥା, କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟରେ ଏକ ବଡ ତ୍ରୁଟି ଧରାପଡିଛି । ଏହି ଚାର୍ଜସିଟ୍ ଅନୁସାରେ ନିଜ ମୃତ୍ୟୁର ନିଜେ ସାକ୍ଷୀ ବନିଛନ୍ତି ନବ ଦାସ । ନବ ଦାସ ହତ୍ୟାକାଣ୍ଡରେ ମୋଟ୍ ୭୯ ଜଣ ସାକ୍ଷୀ ରହିଥିବାବେଳେ ପ୍ରଥମ ସାକ୍ଷୀ ହେଉଛନ୍ତି ମୃତ ନବ କିଶୋର ଦାସ । କୁହାଯାଉଛି ନବ ଦାସଙ୍କ ଦେହରେ ଗୁଳି ବାଜିବା ପରେ ହତ୍ୟା ଉଦ୍ୟମ ନେଇ ମାମଲା ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କଲେ । ତେଣୁ କୋର୍ଟରେ ତଦନ୍ତକାରୀ ସଂସ୍ଥା ଦାଖଲ କରିଥିବା ଚାର୍ଜସିଟରେ ଜଣେ ମୃତବ୍ୟକ୍ତି କିଭଳି ପ୍ରଥମ ସାକ୍ଷୀ ପାଲଟିଲେ ବୋଲି ପ୍ରଶ୍ନ ଉଠିଛି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡ ଭଳି ଏକ ସମ୍ବେଦନଶୀଳ ମାମଲାରେ କ୍ରାଇମବ୍ରାଞ୍ଚ ଏତେ ଖାମଖିଆଲ କେମିତି ହୋଇପାରିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ।

ଏପଟେ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଆଜି ତାର ଓକିଲ ବଦଳାଇ ଦେଇଛି । ଗୋପାଳ ପାଇଁ ମାମଲା ଲଢିବେ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ମହେଶ ଜେନା । ଗତ ୨୬ ତାରିଖରେ ହାଜିରା ସମୟରେ ଗୋପାଳ ନିଜ ପାଇଁ ଆଇନଜୀବି ଠିକ କରିନଥିବା କୋର୍ଟଙ୍କୁ ଜଣାଇଥିଲା । ତେଣୁ ଷ୍ଟେଟ ଡିଫେନ୍ସ କାଉନସିଲର ନରେଶ ନାୟକଙ୍କୁ ଗୋପାଳର ଓକିଲ ଭାବେ ନିଯୁକ୍ତ କରାଯାଇଥିଲା । କିନ୍ତୁ ଗୋପାଳ ତାର ନିଜସ୍ୱ ଓକିଲ ଦେଇଛି । ଯିଏ ଗୋପାଳକୁ ମାମଲାରୁ ମୁକୁଳାଇବା ପାଇଁ ଝାରସୁଗୁଡା ଏଡିଜେ କୋର୍ଟରେ ଜବାବ ସୁଆଲ କରିବେ ।

ଗୋପାଳକୁ ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର କରାଯାଇଥିଲା । ଚୌଦ୍ୱାର ଜେଲରୁ ଗୋପାଳକୁ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟକୁ ଅଣାଯାଇଥିଲା । ଗୋପାଳ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଆଜି ଚାର୍ଜଫ୍ର୍ରେମ ହେବାର ଥିଲା । କିନ୍ତୁ ପ୍ରତିପକ୍ଷ ଡିସଚାର୍ଜ ପିଟିସନ ଦାଖଲ କରିବାରୁ ତାହା ହୋଇପାରି ନାହିଁ । ସରକାରୀ ଓକିଲ ଗଙ୍ଗାଧର ଗଡ଼ନାୟକ ଏଥିପାଇଁ ସମୟ ମାଗିଛନ୍ତି ।