ସାଙ୍ଗର ବାପା ପାଲଟିଲା ପିଶାଚ: ୧୩ ବର୍ଷର ନାବାଳିକା ଗର୍ଭବତୀ, ଦୁଷ୍ମର୍ମକାରୀ ଘରେ ଝିଅକୁ ଛାଡ଼ିଦେଲା ବାପା!

393

କନକ ବ୍ୟୁରୋ: ବର୍ତମାନ ଏକ ସମ୍ବେଦନଶୀଳ ଖବର ଆପଣଙ୍କ ସମୁଖରେ ରଖିବା ପାଇଁ ଚାହିଁବି । ଯେଉଁ ଖବର ଶୁଣିଲେ ଲଜ୍ଜାରେ ମୁଣ୍ଡ ନଇଁ ଯିବ । ସାଂଗର ବାପା ପାଲଟିଲା ପିଶାଚ । ଆଉ ମାତ୍ର ୧୩ ବର୍ଷର ନାବାଳିକାକୁ ଗର୍ଭବତୀ ହୋଇଛନ୍ତି । ଆହୁରି ବିଡମ୍ବନାର କଥା ହେଉଛି, ଦୁଷ୍ମର୍ମକାରୀ ଘରେ ଝିଅକୁ ଛାଡ଼ିଦେଇଛି ବାପା ।

ଏହା ଏପରି ଏକ ସମ୍ବେଦନଶୀଳ ଘଟଣା ଯାହାକୁ ଶୁଣିଲେ ସଭ୍ୟ ସମାଜର ମୁଣ୍ଡ ତଳକୁ ନଇଁଯିବ । ଏହି ଘଟଣା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଛାଡ଼ିଦେଇଛି । ଘଟଣାଟି ଘଟିଛି କେନ୍ଦୁଝର ସଦର ବ୍ଲକ ବରଦାପାଳ ପଂଚାୟତ ଅଂଚଳରେ । ଅତ୍ୟନ୍ତ ଗରିବ ପରିବାରର ଏହି ୧୩ ବର୍ଷୀୟା ପୀଡ଼ିତା ଜଣଙ୍କ ସପ୍ତମ ଶ୍ରେଣୀ ପରେ ପାଠ ଛାଡ଼ି ଦେଇଥିଲା । ଏଥିପ୍ରତି କେହି ଦୃଷ୍ଟି ଦେଇନଥିଲେ । ବାପା-ମାଆ ଦିନ ମଜୁରିଆ । ଓଳିଏ ଖାଇଲେ ଓଳିଏ ଉପାସ । ଫଳରେ ବାଧ୍ୟ ହୋଇ ଛେଳି ଚରାଉଥିଲା ପୀଡ଼ିତା । ଯେଉଁ ସାଙ୍ଗ ଘରକୁ ସିଏ ଯିବା ଆସିବା କରୁଥିଲା, ପରିସ୍ଥିତିର ସୁଯୋଗ ନେଇ ସାଙ୍ଗର ବାପା ତା’ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏବେ ସେ ୭ ମାସର ଗର୍ଭବତୀ । ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି ।

ସବୁଠୁ ଚାଂଚଲ୍ୟକର ଘଟଣା ହେଉଛି, ନାବାଳିକାର ବାପା, ଝିଅ ଗର୍ଭବତୀ ଥିବା ଜାଣିବା ପରେ ଥାନାରେ ଅଭିଯୋଗ ନକରି ତାକୁ ଦୁଷ୍ମର୍ମକାରୀର ଘରେ ଛାଡ଼ିଦେଇଛି । ଏକବଂଶ ଶତାବ୍ଦୀରେ ଏପରି ଘଟଣା ସମସ୍ତଙ୍କୁ ଚକିତ କରିଛି । ସଚେତନତା ଓ ଶିକ୍ଷାର ଅଭାବ ଯୋଗୁଁ ଉପାନ୍ତ ଅଂଚଳରେ ଏଭଳି ଜଘନ୍ୟ କାଣ୍ଡ ଘଟୁଥିବା ଅଭିଯୋଗ ହୋଇଛି । ବିଡିଓ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସ୍ଥାନୀୟ ସରପଂଚ ଜଣାଇବା ପରେ ତନାଘନା ଆରମ୍ଭ ହୋଇଛି । କେନ୍ଦୁଝର ସିଡବ୍ଲୁସି ଟିମ୍ ପୀଡ଼ାତାକୁ ଉଦ୍ଧାର କରିବା ପାଇଁ ତାଙ୍କ ଗାଁରେ ପହଁଚିଥିଲା । କିନ୍ତୁ ଝିଅକୁ ନପାଇ ଫେରି ଆସିଛି ଟିମ୍ ।

ଏପଟେ ଅଭିଯୋଗ ହୋଇଛି, ପୀଡ଼ିତାଙ୍କ ବାପା-ମାଆଙ୍କୁ କିଛି ଟଙ୍କା ଦେଇ ମାମଲାକୁ ଦଫାରଫା କରିବାକୁ ଉଦ୍ୟମ କରିଛି ଅଭିଯୁକ୍ତ । ଏଠି ପ୍ରଶ୍ନ ଉଠୁଛି –
ନିରୀହ ନାବାଳିକାକୁ କିଏ ଦେବ ନ୍ୟାୟ?
ପିଲାଙ୍କୁ ସୁରକ୍ଷା ଦେବାରେ କେବେ ସମର୍ଥ ହେବ ସମାଜ?
ଡ୍ରପ-ଆଉଟ ରୋକିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି
କାହିଁକି ସ୍ଥାନୀୟ ପ୍ରଶାସନ ପାଖରେ ପୀଡ଼ିତା ସଂପର୍କରେ ଖବର ନଥିଲା?
୭ ମାସର ଗର୍ଭବତୀ ଥିବାବେଳେ କିପରି ଜାଣିପାରିଲେ ନାହିଁ ଆଶାକର୍ମୀ?