ଲଗଜ୍ୟୁରୀ କାର୍ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ, ସୁନା ପାଇଁ ସ୍ୱାମୀ ସାଜିଲେ ସଇତାନ!

338

କନକ ବ୍ୟୁରୋ:  ପ୍ରଭାବତୀ ନାୟକ, ଜଣେ ଏମବିଏ ଡିଗ୍ରୀ ହାସଲ କରିଥିବା ମହିଳା । ଘର ଭଦ୍ରକ ଜିଲ୍ଲା, ବୟସ ୨୮ ବର୍ଷ । ଗତ ଏପ୍ରିଲ ୨୮ ତାରିଖରେ ବୈଦିକ ରୀତିନୀତି ଅନୁସାରେ ଭୁବନେଶ୍ୱରରେ ତାଙ୍କର ବିବାହ ହୋଇଥିଲା । ସରକନ୍ତରାର ପ୍ରକାଶ ଖୁଂଟିଆଙ୍କୁ ବିବାହ କରିଥିଲେ ପ୍ରଭାବତୀ । ସଫ୍ଟୱେର ଇଞ୍ଜିନିୟରଙ୍କ ହାତରେ ନିଜ ଝିଅର ହାତ ଦେଇ ବେଶ୍ ଖୁସି ଥିଲେ ପରିବାର । ବାହାଘରର ପ୍ରାୟ ମାସେ ପରେ ସବୁକିଛି ଓଲଟପାଲଟ ହୋଇଗଲା । ଶ୍ୱଶୂର ଘରେ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ ।

ପ୍ରଭାବତୀଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ ପରିବାର ଲୋକେ । ପରିବାର ଲୋକଙ୍କ ଅଭିଯୋଗ, ବାହାଘର ପରଠାରୁ ଶ୍ୱଶୁର ଘର ଲୋକେ ସୁନାଗହଣା ଓ ଲଗଜ୍ୟୁରୀ କାର୍ ପାଇଁ ବାରମ୍ବାର ନିର୍ଯାତନା ଦେଇଆସୁଥିଲେ । ଯାହାକୁ ନେଇ ପ୍ରଭାବତୀ ବିଭିନ୍ନ ସମୟରେ ମାନସିକ ଚାପରେ ରହୁଥିଲେ । ଏବାବଦରେ ସେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ଆଉ ତାଙ୍କର ହଠାତ୍ ମୃତ୍ୟୁ ହୋଇଯିବା ପଛରେ ଶ୍ୱଶୂର ଘର ଲୋକଙ୍କ ବଡ଼ ଭୂମିକା ରହିଥିବା ମୃତକଙ୍କ ପରିବାର ଅଭିଯୋଗ କରିଛି । ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ପ୍ରକାଶ ଖୁଂଟିଆଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ହତ୍ୟା ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଭୁବନେଶ୍ୱର ଡିସିପି କହିଛନ୍ତି । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ ହେବା ପାଇଁ ଉଭୟ ଉଭୟଙ୍କ ହାତ ଧରିଥିଲେ । ସମାଜ ଆଗରେ ମୁଣ୍ଡରେ ସିନ୍ଦୁର ଦେଇ ନିଜର କରିଥିଲେ । ହେଲେ ସାମାନ୍ୟ ଲୋଭ ସବୁ ସ୍ୱପ୍ନ ଛାରଖାର୍ କରିଦେଲା ।