ଟିକେଟକୁ ନେଇ ଅପ୍ରସନ୍ନ ଅଛନ୍ତି କି ପ୍ରସନ୍ନ? ସମ୍ବଲପୁର ଆସନରୁ ଲଢ଼ିବାକୁ ମଙ୍ଗୁ ନାହାଁନ୍ତି କି?

347

କନକ ବ୍ୟୁରୋ: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି । ସମ୍ବଲପୁର ବଦଳରେ ରେଢାଖୋଲରୁ ସେ ଲଢିବାକୁ ଇଚ୍ଛୁକ ଥିବା ଆଲୋଚନା ହେଉଛି । ଏଥିପାଇଁ ସେ ଦୁଇଟି କାରଣ ଦର୍ଶାଇଛନ୍ତି, ସ୍ୱାସ୍ଥ୍ୟ ସମସ୍ୟା ଓ ରେଢାଖୋଲରୁ ଲଢିବାର ଇଚ୍ଛା ।

ଯଦିଓ ଏନେଇ କୌଣସି ବିଧିବଦ୍ଧ ବୟାନ୍ ସାମ୍ନାକୁ ଆସିନାହିଁ ତଥାପି ସମ୍ଭାବନା ଓ ଆକଳନର ଏଭଳି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋରଧରିଛି । କୁହାଯାଉଛି, ସମ୍ବଲପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ମଙ୍ଗୁ ନାହାଁନ୍ତି ପ୍ରସନ୍ନ୍ ଆଚାର୍ଯ୍ୟ । ରେଢ଼ାଖୋଲ ଆସନରେ ତାଙ୍କର ସଂଗଠନ ଥିବାରୁ ସମ୍ବଲପୁର ବଦଳରେ ରେଢ଼ାଖୋଲ ବିଧାନସଭା ଆସନରୁ ଲଢ଼ିବାକୁ ଇଚ୍ଛୁକ ଥିବା ଚର୍ଚ୍ଚା ହେଉଛି । ସମ୍ବଲପୁର ଆସନ ପାଇଁ ଟିକେଟ୍ ଘୋଷଣାର ଠିକ୍ ଦିନକ ପରେ ଯେତେବେଳେ ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ୱର ପହଂଚିଥିଲେ, ସେତେବେଳେ ମଧ୍ୟ ଏଭଳି ଚର୍ଚ୍ଚା ହୋଇଥିଲା । ଆଉ ପ୍ରତିକ୍ରିୟା ରଖି ରୋହିତ ପୂଜାରୀ ଏଭଳି ଚର୍ଚ୍ଚାକୁ ଖଣ୍ଡନ୍ କରଥିଲେ ।

ପ୍ରସନ୍ନ ଆଚାର୍ଯ୍ୟଙ୍କ ସମ୍ବଲପୁରରୁ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେବା ପଛରେ ଦୁଇଟି କାରଣ ଥିବା କୁହାଯାଉଛି
୧: ସ୍ୱାସ୍ଥ୍ୟଗତ ସମସ୍ୟା
୨: ରେଢ଼ାଖୋଲ ଇଚ୍ଛା
ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଦୁର୍ଘଟଣା ପରେ ଚିକିତ୍ସା ପାଇଁ ଏୟାରଲିଫ୍ଟ କରି ଭୁବନେଶ୍ୱର ଅଣାଯାଇଥିଲା । ଏବେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି, ତେଣୁ ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ଥିବା କୁହାଯାଉଛି । ଆଉ ୨ୟ କାରଣଟି ରେଢ଼ାଖୋଲରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ଥିବାରୁ ସମ୍ବଲପୁର ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁନଥିବା କୁହାଯାଉଛି ।

ଯଦିଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ପକ୍ଷରୁ କିମ୍ବା ଦଳୀୟ ପକ୍ଷରୁ ଏନେଇ କୌଣସି ପ୍ରତିକ୍ର୍ରିୟା କେହି ରଖି ନାହାଁନ୍ତି । କିନ୍ତୁ ସମ୍ବଲପୁର ଆସନ ବଦଳରେ ରେଢ଼ାଖୋଲ ଆସନରୁ ପ୍ରସନ୍ନ ଲଢ଼ିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି, ଟିକେଟ ଘୋଷଣା ପରେ ବି ମୈଦାନରେ ନଜର ଆସୁନାହାଁନ୍ତି ପ୍ରସନ୍ନ ଆଚାର୍ଯ୍ୟ ।
ଚର୍ଚ୍ଚାରେ ଅଛନ୍ତି ୪ ଜଣ ଚେହେରା ।

– ରାସେଶ୍ୱରୀ ପାଣିଗ୍ରାହୀ
– ସିଦ୍ଧାର୍ଥ ଦାସ
– ସଂଜୟ ବାବୁ
– ସଂଚିତ ମହାନ୍ତି

ପୂର୍ବରୁ ରାସେଶ୍ୱରୀ ପାଣିଗ୍ରାହୀ ସମ୍ବଲପୁର ଆସନରୁ ବିଜୟୀ ହୋଇଥିବା ବେଳେ ସିଦ୍ଧାର୍ଥ ଦାସ ହେଉଛନ୍ତି ପୂର୍ବତନ ବିଜେଡି ଜିଲ୍ଲା ସଭାପତି । ସେହିପରି ସଂଜୟ ବାବୁ ଦଳୀୟ ମୁଖପାତ୍ର ଥିବା ବେଳେ ସଂଚତା ମହାନ୍ତି ଜିଲ୍ଳା ବିଜେଡି ଉପ-ସଭାପତି ସମେତ କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଅଛନ୍ତି । ତେବେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସମ୍ବଲପୁର ବିଧାନସଭା ଆସନକୁ ନେଇଥିବା ହେଉଥିବା ଚର୍ଚ୍ଚା କେଉଁ ରୂପରେ ସାମ୍ନାକୁ ଆସୁଛି ଦେଖିବାକୁ ବାକି ରହିଲା ।