୨୦୨୪ରେ ପଦ୍ମପୁର ଷ୍ଟାଇଲରେ ଲଢ଼ିବ ବିଜେଡି । ଦଳୀୟ ନେତାଙ୍କୁ ଏକତାର ମନ୍ତ୍ର ଦେଲେ ନବୀନ ।

110

କନକ ବ୍ୟୁରୋ: ପଦ୍ମପୁର ବିଜୟ ପରେ ବିଜେଡି ୨୦୨୪ ନିର୍ବାଚନ ବିଜୟର ସ୍ୱପ୍ନ ଦେଖୁଛି । ଆଉ ସେହି ଅନୁସାରେ ଆଗାମୀ ନିର୍ବାଚନ ଲଢ଼ିବାକୁ ରଣନୀତି ପ୍ରସ୍ତୁତ କରୁଛି । ଯେଉଁ ଷ୍ଟାଇଲରେ ପଦ୍ମପୁରରେ ଲଢ଼େଇ କରି ବିଜେଡି ବିଜୟୀ ହୋଇଛି, ଠିକ୍ ସେହି ଶୈଳୀରେ ୨୦୨୪ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛି । ଆଜି ଏନେଇ ଆଜି ଦଳୀୟ କର୍ମୀ ଓ ନେତାଙ୍କୁ ଟିପ୍ସ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ପଦ୍ମପୁର ବିଜୟର ଉର୍ଜା ଏବଂ ଆଗାମୀ ଲଢ଼େଇ ପାଇଁ ଉତ୍ସାହ ନେଇ ଯେତେବେଳେ ଜଣେ ପରେ ଜଣେ ବିଜେଡି ନେତା ନବୀନ ନିବାସରେ ପ୍ରବେଶ କରୁଥିଲେ, ସ୍ପଷ୍ଟ ବାରି ହୋଇପଡ଼ୁଥିଲା ବିଜେଡିର ମନୋବଳ । ବିଜୟ ପାଇଁ ଦଳୀୟ ନେତାଙ୍କୁ ସାଧୁବାଦ ଦେବା ପରେ ଦଳୀୟ ନେତାଙ୍କୁ ୨୦୨୪ ପାଇଁ ମନ୍ତ୍ରଣା କରିଥିଲେ ବିଜେଡି ସୁପ୍ରିମୋ । ଦୀର୍ଘ ୨ ଘଣ୍ଟାର ମାନସମନ୍ଥନ ପରେ ଆଗାମୀ ଲଢ଼େଇ ପାଇଁ ଆହ୍ୱାନ ଦେଇଥିଲେ ନବୀନ ।

  • ପଦ୍ମପୁର ଷ୍ଟାଇଲରେ ନିର୍ବାଚନ ଲଢ଼ିବ ବିଜେଡ଼ି
  • ନେତାଙ୍କୁ ଏକାତାର ମନ୍ତ୍ର ଦେଲେ ବିଜେଡି ସୁପ୍ରିମୋ

ବିଜେଡିର ସମୀକ୍ଷା ବୈଠକରେ ପଦ୍ମପୁର ବିଜୟର ଉତ୍ସାହ ନେଇ ଯେମିତି ଚର୍ଚ୍ଚା ହୋଇଥିଲା, ଠିକ୍ ସେମିତି ଆଗାମୀ ନିର୍ବାଚନ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିଲା । ପଦ୍ମପୁରରେ ଯେଉଁ ରଣନୀତି ଆପଣାଇଥିଲା ଦଳ, ସେଇ ସମାନ ରଣନୀତି ନେଇ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ ସୁପ୍ରିମୋ । ଧାମନଗରରେ ଯେଉଁ ଦୁର୍ବଳତା ଥିଲା ତାକୁ ଅତିକ୍ରମ କରି ଦଳୀୟ ନେତାଙ୍କୁ ଏକାଠି ହୋଇ ଲଢ଼ିବାକୁ କହିଥିଲେ ନବୀନ ।

  • ବୁଥ୍ ବଦଳରେ ୱାର୍ଡ ସ୍ତରରେ ସଂଗଠନକୁ ମଜବୁତ କରିବା
  • ନବୀନଙ୍କ ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବା
  • ଦଳୀୟ ନେତାଙ୍କ ଭିତରେ ଉତ୍ତମ ସମନ୍ୱୟ ରକ୍ଷା କରିବା
  • ପଦ୍ମପୁରରେ ନେତୃତ୍ୱ ନେଇଥିବା ନେତାଙ୍କୁ ଗୁରୁଦାୟିତ୍ୱ ଦେବା

ଏହିଭଳି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସେହିପରି ଖୁବଶୀଘ୍ର ନବୀନ ପଦ୍ମପୁର ଯାଇ, ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ । ତେବେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଦଳ ପ୍ରସ୍ତୁତ ଥିବା କହିଛନ୍ତି ବିଜେଡିର ତୁଙ୍ଗ ନେତା ।

ଅନ୍ୟପଟେ ବିରୋଧୀ ବିଜେପି ଦଳ ମଧ୍ୟ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯଦି ଆଗୁଆ ନିର୍ବାଚନ ହୁଏ, ସେଥିପାଇଁ ଦଳ ପ୍ରସ୍ତୁତ ଥିବା କହିଛି ବିଜେପି । ମୁଖ୍ୟତଃ ଚାଷୀ, ମହିଳା ନିର୍ଯାତନା ଓ ବେରୋଜଗାରୀ ଭଳି ୩ଟି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ । ତେବେ ନିଜର ଦୁର୍ବଳତା ଲୁଚାଇବା ପାଇଁ ବିଜେଡିର ଆଗୁଆ ପ୍ରସ୍ତୁତ ହେଉଛି ବୋଲି ବିଜେପି ଅଭିଯୋଗ କରିଛି । ତେବେ ରାଜନୀତିର ଏହି ପ୍ରତିଦ୍ୱନ୍ଦ୍ୱିତା ଭିତରେ ପ୍ରଶ୍ନ ହେଉଛି, ଆଗୁଆ ହେବ କି ସାଧାରଣ ନିର୍ବାଚନ ?ଆଗୁଆ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କି ପ୍ରସ୍ତୁତି ?