ନବୀନଙ୍କ ଟାର୍ଗେଟ ପରେ ଶାସକ-ବିରୋଧୀ ମୁହାଁମୁହିଁ । ନେତାଙ୍କ ମଧ୍ୟରେ ଚାଲିଲା କଥା କଟାକଟି । ଉଭୟଙ୍କୁ ଘେରିଲା କଂଗ୍ରେସ

377

କନକ ବ୍ୟୁରୋ: ଝାରସୁଗୁଡା ବିଜୟ ପରେ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ନବୀନ କୌଣସି ଦଳର ସିଧାସଳଖ ନାଁ ନେଇନଥିଲେ ବି କଟାକ୍ଷ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି ।

ଝାରସୁଗୁଡା ଉପ-ନିର୍ବାଚନରେ ବିଜୟ ପରେ ଶଙ୍ଖ ଭବନରେ ଆୟେଜିତ ବିଜୟ ଉତ୍ସବରେ ନବୀନଙ୍କ ଟାର୍ଗେଟ, ବିରୋଧୀଙ୍କ ପାଇଁ ଅସହ୍ୟ ହୋଇଛି । ଯାହାକୁ ନେଇ ପାଲଟା ପ୍ରଶ୍ନ କରିଛି ବିରୋଧୀ ବିଜେପି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରି ପଚାରିଛନ୍ତି, କେଉଁଠି ମହିଳାଙ୍କୁ ବିଜେପି ଅସମ୍ମାନିତ କରିଛି? ବିଜେଡି ଜବାବ ଦେଉ । ୨୦୨୪ରେ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ।

ବିଜେପିର ପାଲଟା ପ୍ରଶ୍ନ ପରେ, ଜବାବ ରଖି ବିଜେଡି । କହିଛି, ପଦ୍ମପୁର ଓ ଝାରସୁଗୁଡା ଉପନିର୍ବାଚନର ବିଭିନ୍ନ ସଭା ସମିତିରେ ନେତାମାନେ ମହିଳାଙ୍କୁ ଆକ୍ଷେପ କରିଛନ୍ତି । ଓଡିଶାରେ ଡବଲ ଇଞ୍ଜିନର ଆବଶ୍ୟକତା ନାହିଁ । ଅନ୍ୟପଟେ କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି । ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରି କହିଛନ୍ତି, ଉଭୟ ବିଜେଡି ଓ ବିଜେପି ମହିଳାଙ୍କୁ ନେଇ ରାଜନୀତି କରୁଛନ୍ତି । କର୍ଣ୍ଣାଟକରେ ବିଜେପିର ଡବଲ ଇଞ୍ଜିନ ସ୍ୱପ୍ନ ମଉଳି ଯାଇଛି । ଓଡିଶାରେ ବି ସୁଶାସନ ଦେବାରେ ବିଫଳ ବିଜେଡି ।

ସୂଚନାଯୋଗ୍ୟ ଯେ, ନବୀନ ପୂର୍ବରୁ ଝାରସୁଗୁଡା ନିର୍ବାଚନୀ ପ୍ରଚାରରେ ଯାଇଥିବାବେଳେ ପ୍ରଥମ ଥର ପାଇଁ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ମହିଳାମାନଙ୍କୁ ବିରୋଧୀ ସମାଲୋଚନା ଓ ଆକ୍ଷେପ କରୁଥିବା ଅଭିଯୋଗ କରିଥିଲେ ।