ବୁଡି ଯାଉଥିବା ବେଉଶାକୁ ଜୀବିତ କରି ଆଦିବାସୀ ହେଉଛନ୍ତି ଆତ୍ମନିର୍ଭର, ଜଙ୍ଗଲରୁ କଞ୍ଚାମାଲ ସଂଗ୍ରହ କରି ପ୍ରସ୍ତୁତ କରୁଛନ୍ତି ଫୁଲ ଝାଡୁ

115

କନକ ବ୍ୟୁରୋ : ଝାଡ଼ୁ ତିଆରି ପାଇଁ ରାୟଗଡ଼ା ଜିଲ୍ଲାର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି । ଏଠାରେ ପ୍ରାୟ ଅଧିକାଂଶ ଲୋକ ଝାଡ଼ୁ ତିଆରି କରି ପରିବାର ପ୍ରତିପୋଷଣ କରନ୍ତି । ଜଙ୍ଗଲରୁ ଝାଡ଼ୁ ତିଆରି ପାଇଁ କଂଚାମାଲ ସଂଗ୍ରହ କରି ଲୋକେ ଏହି କାମ କରନ୍ତି ରାୟଗଡ଼ା ଅଂଚଳର ଅଧିବାସୀ । କିନ୍ତୁ ସମୟ କ୍ରମେ ଏହି ଗଛ ସବୁ ଲୋପ ପାଇଯାଉଥିବା ବେଳେ ଏବେ ଏହି ଝାଡ଼ୁ ଚାଷକୁ ଆପଣାଉଛନ୍ତି ଲୋକେ । ଜଙ୍ଗଲରୁ ଝାଡ଼ୁ ଗଛର ଚେର ଆଣି ନିଜ ଜମିରେ ରୋପଣ କରିଛନ୍ତି ପିତାମହଲ ପଚାଂୟତ କୋଡେଶୁ ଗାଁର ଚାଷୀ ଅନନ୍ତ ନାୟକ । ଜଣେ ବନ ଅଧିକାରୀଙ୍କ ଠାରୁ ପ୍ରେରଣା ପାଇ ଏହି ଚାଷ କରି ବିନା ଖର୍ଚ୍ଚରେ ବେଶ୍ ଲାଭବାନ ହେବା ସହ ୫ ଜଣଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି । ଅନ୍ୟପଟେ ରାୟଗଡା ଝାଡୁ ଅନଲାଇନ୍ ପ୍ଲାଟାଫର୍ମ ଆମାଜନରେ ବିକ୍ରି ହେବା ସହ ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଆଗକୁ ଅଧିକରୁ ଅଧିକ ଜମିରେ ଫୁଲ ଝାଡୁ ଚାଷ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ।

ଚାଷୀ ଅନନ୍ତ ନାୟକ ପ୍ରଥମେ ଜଙ୍ଗଲରୁ ଫୁଲ ଝାଡୁର ଚେର ଆଣି ନିଜ ଜମିରେ ରୋପଣ କରିଥିଲେ । ସେଥିରୁ ଭଲ ଫୁଲ ଝାଡୁ ଉତ୍ପାଦନ ହେବାରୁ ସେ ଆଉ ପଛକୁ ଫେରିନାହାନ୍ତି । ସେହି ଫୁଲ ଝାଡୁର ଚେରରୁ ଚାରା ସୃଷ୍ଟିି କରି ନିଜ ୨ଏକର ଜମିରେ ଲଗାଇବା ସହ ଚାରା ମଧ୍ୟ ବିକ୍ରି କରି ଲାଭବାନ ହେଉଛନ୍ତି । ବିନା ଖର୍ଚରେ ବର୍ଷକୁ ୪୦ ରୁ ୫୦ ହଜାର ଟଙ୍କା ଲାଭ ମିଳୁଥିବା ସେ କହିଛନ୍ତି । ଅନ୍ୟପଟେ ରାୟଗଡାରେ ଓରମାସ୍ ତରଫରୁ ଫୁଲ ଝାଡୁର ପ୍ରୋସେସିଂ କରାଯିବା ସହ ବ୍ରାଣ୍ଡିଙ୍ଗ କରାଯାଉଛି । ଯେଉଁ ଚାଷୀ ଚାହିଁବେ ତାଙ୍କୁ ଫୁଲ ଝାଡୁ ବିଷୟରେ ତାଲିମ ପ୍ରଦାନ କରାଯିବା ସହିତ ତାଙ୍କ ଠାରୁ ଫୁଲ ଝାଡୁ କିଣିବାରେ ସାହାଯ୍ୟ କରିବୁ ବୋଲି କହିଛନ୍ତି ଓରମାସ୍ ଅଧିକାରୀ ମନୋଜ ପାତ୍ର ।

ଝାଡ଼ୁ ପ୍ରତ୍ୟେକ ଲୋକଙ୍କ ଘରେ ଏକ ଅତିଆବଶ୍ୟକ ଜିନିଷ । ତେଣୁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ତାଲିମ ଓ ଆର୍ଥୀକ ସାହାଯ୍ୟ ମିଳିଲେ ଏହି ଚାଷ କରି ଜୀବିକା ନିର୍ବାହ କରିପାରିବେ ରାୟଗଡ଼ା ଅଂଚଳର ଚାଷୀ ।