ନୂଆ ଚାଷ କରି ଚର୍ଚ୍ଚାରେ କେନ୍ଦ୍ରାପଡାର ଦୁଇସାଙ୍ଗ, ବାର୍ଷିକ ଲାଭ କରୁଛନ୍ତି ୬ଲକ୍ଷରୁ ଅଧିକ ଟଙ୍କା

815

କନକ ବ୍ୟୁରୋ : କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଅର୍ନ୍ତଗତ ଶିଳୁପୁର ଗାଁର ଦୁଇ ସାଙ୍ଗ ରଜନୀ କାନ୍ତ ଦାସ ଓ ନିଶିକାନ୍ତ ଦାସ । ଦୁହେଁ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଚାକିରି ପଛରେ ନପଡି ଚାଷ କାମ କରି ବାର୍ଷିକ ରୋଜଗାର କରୁଛନ୍ତି ଲକ୍ଷାଧୀକ ଟଙ୍କା । ନିଜ ବଗିଚରେ ନୂଆ ନୂଆ କିଶମର ଫଳ ଗଛ ଲଗାଇ ଚର୍ଚ୍ଚାକୁ ଆସିଛନ୍ତି ନିଶିକାନ୍ତ ଓ ରଜନୀ । ଦୁଇ ସାଙ୍ଗ ମିଶି ଆମ୍ବ, ସପୁରି, ଲେମ୍ବୁ, ସୁଇଟ୍ ଚେରୀ ଓ ଅଙ୍ଗୁର ଚାଷ କରିଛନ୍ତି । ମାର୍ଶଘାଈ ବ୍ଲକ ଅଂଚଳରେ ପ୍ରଥମ କରି ସୁଇଟ୍ ଚେରୀ ଓ ଅଙ୍ଗୁର ଚାଷ କରି ଫଳ ଫଳାଇବରେ ପାଇଛନ୍ତି ସଫଳତା । ଅଙ୍ଗୁର ଗଛରେ ଚଳିତ ବର୍ଷ ପ୍ରଥମ କରି ଫଳ ଆସିଥିବା ବେଳେ ସ୍ଥାନୀୟ ଅଂଚଳର ଚାଷୀଙ୍କ ମଧ୍ୟରେ ଏହି ଚାଷକୁ ନେଇ ନୂତନ ସମ୍ଭାବନା ସୃଷ୍ଟି ହୋଇଛି ।

ଖାଲି ଫଳ ଓ ପନିପରିବା ଚାଷ ନୁହେଁ ମହୁ ଚାଷ କରି ଭଲ ରୋଜଗାର କରୁଛନ୍ତି ଦୁଇ ସାଙ୍ଗ । ଏହି ସବୁ ଚାଷରୁ ତାଙ୍କୁ ବାର୍ଷିକ ୬ଲକ୍ଷରୁ ଅଧିକ ଟଙ୍କା ଲାଭ ମିଳୁଛି । ମହୁ କିଲୋପିଛା ୧ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହାକୁ ଲୋକେ ଆଗ୍ରହର ସହ କିଣି ନେଉଛନ୍ତି । ମହୁର ଚାହିଦା ଅଧିକ ରହୁଥିବାରୁ ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ଘରକୁ ଆସି ସେମାନଙ୍କ ଠାରୁ ମହୁ ସଂଗ୍ରହ କରୁଛନ୍ତି ।

ସୁଇଟ୍ ଚେରି ସହିତ ମହୁ ଚାଷ ଓ ବିଭିନ୍ନ ପ୍ରକାରର ନୁଆ ନୁଆ କିଶମର ଫଳ ଚାଷ କରି ଦ୍ୁଇ ସାଙ୍ଗ ରଜନୀ ଓ ନିଶିକାନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଯାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।