ରାତି ପାହିଲେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ଓ ୩୫ ବିଧାନସଭା କ୍ଷେତ୍ର ପାଇଁ ନେତା ବାଛିବେ ଜନତା

122

କନକ ବ୍ୟୁରୋ : ରାତି ପାହିଲେ ନିର୍ବାଚନ । ବୁଥ୍ ଅଭିମୁଖେ ପୁଲିଂ ଅଧିକାରୀ । କିଛି କର୍ମଚାରୀ ପହଂଚି ସାରିଛନ୍ତି । ଆଉ କିଛି ଲକ୍ଷ୍ୟ ସ୍ଥଳ ଅଭିମୁଖେ । ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ୫ ଲୋକସଭା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ସମେତ ଏହା ଅଧିନରେ ଥିବା ସମସ୍ତ ୩୫ ବିଧାନସଭା ପାଇଁ ମତଦାନ ପାଇଁ ପ୍ରସ୍ତୁତି ସରିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ୩୦୫ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷୀ । ୨୬୫ ଜଣ ବିଧାୟକ ପ୍ରାର୍ଥୀ ଏବଂ ୪୦ ଜଣ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିଦ୍ଧାରଣ କରିବେ ୭୬ ଲକ୍ଷ ୬୯ ୮୮୯ ଭୋଟର । ୧୧ ଜିଲ୍ଲାରେ ୯ ହଜାର ୧୬୨ ବୁଥରେ ମତଦାନ ହେବ । ସେଥିରୁ ୫୫୬ଟି ସମ୍ବେଦନଶୀଳ ବୁଥରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ମୋଟ ୩୩ ହଜାର ପୁଲିସ ଫୋର୍ସ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ହେବେ ।

ମୁଖ୍ୟମନ୍ତ୍ରୀ ଲଢ଼ୁଥିବା ଦୁଇଟି ଯାକ ବିଧାନସଭା ଆସନ, ହିଞ୍ଜିଳି ଓ କଂଟାବାଞ୍ଜିରେ ଏହି ପର୍ଯ୍ୟାୟ ଭୋଟ୍ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଜୁଏଲ ଓରାମ, ନିରଂଜନ ପୂଜାରୀ, ଦିଲ୍ଲୀପ ରାୟ, ପ୍ରଦୀପ ଅମାତ, ସଂଗୀତା ସିଂଦେଓ, ସୁରେଶ ପୂଜାରୀ ଏବଂ ସୁଶାନ୍ତ ସିଂହଙ୍କ ଭଳି ତୁଙ୍ଗ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ମୈଦାନରେ ପ୍ରାର୍ଥୀ ଥିବା
୩ ସାଂସଦ ଏବଂ ୨୮ ବିଧାୟକଙ୍କ ମଧ୍ୟ ଭାଗ୍ୟ ପରୀକ୍ଷା ହେବ ।

ସେପଟେ ଦେଶର ୫ମ ପର୍ଯ୍ୟାୟ ନିର୍ବାଚନରେ ୬ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଂଚଳର ୪୯ ଲୋକସଭା ଆସନ ପାଇଁ ଭୋଟ୍ ପଡ଼ିବ । ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗର ୭, ବିହାରର ୫, ଓଡ଼ିଶାର ୫, ଝାଡଖଣ୍ଡର ୩ ଏବଂ ଜାମ୍ମୁ-କାଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ସ୍ମୃତି ଇରାନୀ, ରାଜନାଥ ସିଂ, ପିୟୁଷ ଗୋୟଲ, ଚିରାଗ ପାଶୱାନ ଭଳି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।