ଶଂଖ ଛାଡି ପଦ୍ମ ଶିବିରରେ ସମୀର । ବଦଳିଯିବ କି ନିମାପଡା ବିଜେଡିର ସମୀକରଣ, ବିଜେଡି କହିଲା ପଡିବନି ପ୍ରଭାବ

827

କନକ ବ୍ୟୁରୋ : ଟିକେଟ୍ କଟିବା ପରେ ଅସନ୍ତୁଷ୍ଟ ଥିଲେ ୩-୩ ଥର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଂଜନ ଦାଶ । ପ୍ରାର୍ଥୀ ଚୟନ ନିଷ୍ପତିରେ ପୁନର୍ବିଚାର କରିବାକୁ ଦାବି କରି ଶକ୍ତି ପ୍ରଦର୍ଶନ ସହ ସମର୍ଥକଙ୍କୁ ଆଗକୁ ଆଣି ରଖିଥିଲେ ଦାବି । କିନ୍ତୁ ଶୁଣିଲାନି ଦଳ । ବିଜେଡି ଦିଲ୍ଲୀପ ନାୟକଙ୍କୁ ନିମାପଡାରୁ ପ୍ରାର୍ଥୀ କରି ନିଜ ନିଷ୍ପତିରେ ଅଟଳ ରହିଲା । ଏହାପରେ ମନ ବଦଳାଇଛନ୍ତି ନିମାପଡାର ବିଧାୟକ । ସକାଳେ ବିଜେଡିରୁ ଇସ୍ତଫା ଦେଉ ଦେଉ ସେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ସମୀର ଦାଶ ଏବଂ ତାଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି ।

୨୦୦୯ରୁ ନିମାପଡା ବିଜେଡି ଦଖଲରେ ରହିଛି । ବିଜେପି ଅନେକ ଥର ଏହି ଆସନରେ ବିଜୟୀ ହେବା ପାଇଁ ଚେଷ୍ଟା କରି ବିଫଳ ହୋଇଛି । ଏହାରି ଭିତରେ ସମୀରଙ୍କ ଭଳି ନେତା ପଟ ପରିବର୍ତନ କରିବା ହୁଏତ ବିଜେପି ପାଇଁ ଖୁସି ଆଣିଦେଇଛି । କିନ୍ତୁ ସମୀର ଦାଶ ବର୍ଷକ ତଳେ ହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ବିବାଦୀୟ ହୋଇ ରହିଛନ୍ତି  । ଯେଉଁଥିପାଇଁ ସେ ମନ୍ତ୍ରୀ ପଦ ହରାଇଥିଲେ । ଆଉ ଏପରି କିଛି ରିପୋଟ ର୍ ଦଳ ପାଖରେ ଥିବାରୁ ତାଙ୍କ ୁଟିକେଟ ଦିଆଯାଇନି ବୋଲି ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ଭିଡିଓ ବାର୍ତାରେ ଦଳୀୟ କର୍ମୀଙ୍କୁ କହିଥିଲେ । ଏହାପରେ ଅସନ୍ତୁଷ୍ଟ ସମୀରଙ୍କୁ ମନାଇବାକୁ ଯାଇ ତାଙ୍କୁ ଢେଙ୍କାନାଳ ବିଧାନସଭାର ପର୍ଯ୍ୟବେକ୍ଷକ କରାଯାଇଥିଲା । କିନ୍ତୁ ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି ସମୀର । ଆଗକୁ ମତଦାନ ରହିଛି । ଏପରି ସ୍ଥିତିରେ ସମୀର ବିଜେଡି ଛାଡିବା ଏବଂ ବିଜେପିରେ ସାମିଲ ହେବା କାହାକୁ ହେବ ଲାଭ ଏବଂ କାହାକୁ ହେବ କ୍ଷତି ତାହା ଏବେ ଆଲୋଚନାର ବିଷୟ ।

ଜଗତସିଂପୁର ସଂସଦୀୟ କ୍ଷେତ୍ରରେ ରହିଛି ନିମାପଡା । ହେଲେ ପୁରୀ ଜିଲ୍ଲାରେ ରହିଥିବାରୁ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ମୋଦୀ ସୋମବାର ପୁରୀରେ ବିଜେପି ପାଇଁ ପ୍ରଚାର କରିବେ । ଏପରି ସ୍ଥିତିରେ ନିମାପଡାରେ ବିଜେପି ସୁବିଧାଜନକ ସ୍ଥିତିରେ ରହିବ ବୋଲି କୁହାଯାଉଛି ।