ପେପର ପ୍ଲେଟ୍ ତିଆରି କରି ସ୍ୱାବଲମ୍ବୀ: ଜଳେଶ୍ୱର ପସରବିନ୍ଧା ଗାଁର ୩୦ ଜଣ ମହିଳାଙ୍କ ନିଆରା ଉଦ୍ୟମ

107

କନକ ବ୍ୟୁରୋ: ଗ୍ରାମାଂଚଳର ଉଦ୍ୟମୀ ମହିଳା । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପସରବିନ୍ଧା ଗାଁର ମହିଳା ମାନେ ପେପର ପ୍ଲେଟ୍ ପ୍ରସ୍ତୁତ କରୁଛନ୍ତି । ଘର କାମ ସାରି ବଳକା ସମୟକୁ ଉପଯୋଗ କରି ଆତ୍ମନିର୍ଭରଶୀଳ ହେଉଛନ୍ତି ଏହି ମହିଳା ମାନେ । ପୂର୍ବରୁ ଜଣେ ଏସଏଚଜି ସଦସ୍ୟ ଭାବେ ଘର କାମ ପରେ ଘରେ ବସି ରହୁଥିଲେ । ଏବେ କିନ୍ତୁ ରୋଜଗାର କରିବା ଲକ୍ଷ୍ୟ ନେଇ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି ।

ସମୟ ସହ ତାଳ ଦେଇ ବଦଳୁଛି ମହିଳାଙ୍କ ରୁଚି । ଆଉ ବଦଳୁଛି ରୋଜଗାର କରିବାର ତରିକା । ପେପର ପ୍ଲେଟ୍ ତିଆରି କରି ଭଲ ରୋଜଗାର କରୁଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପସରବିନ୍ଧା ଗାଁର ମହିଳା । ଦିନେ ଏମାନେ ଘର କାମରେ ସୀମିତ ରହୁଥିଲେ । ନିଜର ଖର୍ଚ୍ଚ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲେ । ହେଲେ ଏବେ ପେପର ପ୍ଲେଟ୍ ବ୍ୟବସାୟ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ତାଙ୍କ କାମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଶାଳ ପତ୍ରରେ ଖଲି, ପେପର ପ୍ଲେଟ୍, ଦନା ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ପସରବିନ୍ଧା ଗାଁର ୩୦ ଜଣ ମହିଳା ଏକାଠି ହୋଇ ଏଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ସେମାନେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇ ମେସିନ୍ରେ ପ୍ଲେଟ୍ ତିଆରି କରୁଛନ୍ତି । ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ପ୍ଲେଟର ବଜାର ଚାହିଦା ଅଧିକ ରହିଥିବାରୁ ଭଲ ବ୍ୟବସାୟ ହେଉଛି । ୨ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଗ୍ରୁପ୍ ଏବେ ଲାଭବାନ ହୋଇପାରିଛି ।

ଘରେ ବସି ସମୟ ନଷ୍ଟ କରିବା ଅପେକ୍ଷା ପରିବାର ଚଳାଇବା ପାଇଁ ମହିଳା ମାନେ ଏପରି ସୁନ୍ଦର ପ୍ରୟାସ କରିଛନ୍ତି । ଏଥିପାଇଁ ପ୍ରଥମେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଦୁଇ ଲକ୍ଷ ଟଙ୍କା ରୁଣ ନେଇ ଏହି କାମ ଆରମ୍ଭ କରିଛନ୍ତି । ଆଖପାଖ ବଜାରରେ ଏହି ସବୁ ସାମଗ୍ରୀ ବିକ୍ରି କରି ଲାଭବାନ ହୋଇପାରିଛନ୍ତି ।

ମାର୍କେଟିଂ ପାଇଁ ସୁବିଧା ନଥିବାରୁ ବିକ୍ରି କରିବାରେ ଅନେକ ସମସ୍ୟା ସୃଷ୍ଟି ହେଉଛି । ପେପର ପ୍ଲେଟ୍ ପ୍ରସ୍ତୁତ ପାଇଁ ସ୍ଥାୟୀ ଘର ନଥିବାରୁ କାମ କରିବାରେ ମଧ୍ୟ ମହିଳାଙ୍କୁ ଅସୁବିଧା ହେଉଛି । ତେଣୁ ଏଥିପାଇଁ ସରକାର କିଛି ବ୍ୟବସ୍ଥା କଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ।

ଘରର ଚାରିକାନ୍ଥ ମଧ୍ୟରେ ସୀମିତ ରହୁଥିବା ମହିଳା ଏବେ ଘର କାମ ସହ ଦୁଇ ପଇସା ରୋଜଗାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ପ୍ରଚେଷ୍ଟା ସେମାନଙ୍କୁ ସଫଳତାର ସ୍ୱାଦ ଚଖାଇଛି ।