କେନ୍ଦ୍ରାପଡ଼ା ବିଜୟନଗର ଗାଁର ଯୁବ ଉଦ୍ୟୋଗୀ ଦେବାଶିଷ: ଚାକିରି ଛାଡ଼ି ଧୂପକାଠି ଓ ସଞ୍ଜବତୀ ୟୁନିଟ୍ ବସାଇ ହେଉଛନ୍ତି ଲାଭବାନ

81

କନକ ବ୍ୟୁରୋ: ଚାକିରି କରିବା ଅପେକ୍ଷା ଏବେ ଯୁବପିଢି ନିଜସ୍ୱ ଉଦ୍ୟମରେ କିଛି କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଅନ୍ୟ ଅଧିନରେ ରହି କାମ କରିବା ସ୍ୱାଧୀନତାର ସହ କାମ କରିବା ପାଇଁ ପସନ୍ଦ କରୁଛନ୍ତି । ଆଉ ତାଙ୍କ କାମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟୁଛି । ସେହିଭଳି ଜଣେ ଯୁବକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟନଗର ଗାଁର ଯୁବକ ଦେବାଶିଷ ।

ଧୂପକାଠୀ ଓ ସଳିତା ବ୍ୟବସାୟରୁ ଲକ୍ଷପତି । ଚାକିରି ଛାଡ଼ି ନିଜସ୍ୱ ଉଦ୍ୟମରେ ଭଲ ରୋଜଗାର କରୁଛନ୍ତି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ବିଜୟନଗର ଗାଁର ଗ୍ରାଜୁଏଟ୍ ଯୁବକ ଦେବାଶିଷ ନନ୍ଦ । ଦେବାଶିଷ ବିଏ ପାସ୍ କରିବା ପରେ ପାରାଦୀପରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଭଲ ରୋଜଗାର ବି କରୁଥିଲେ । ହେଲେ ସେଥିରେ ତାଙ୍କ ମନ ଲାଗିନଥିଲା । ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର ଦେବାର ଇଛା ଥିଲା । ଆଉ ସେହି ଲକ୍ଷ୍ୟରେ ଚାକିରି ଛାଡ଼ି ଗାଁକୁ ଫେରି ଦେବାଶିଷ ଧୂପକାଠୀ ଓ ସଳିତା ପ୍ରସ୍ତୁତି ଭଳି ଏକ କ୍ଷଦ୍ର ଉଦ୍ୟୋଗ ପ୍ରତିଷ୍ଠା କଲେ । ଏଥିରେ ୬ ଜଣ ମହିଳାଙ୍କୁ ସେ ନିଯୁକ୍ତି ଦେଇଛନ୍ତି । ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି । ତାଙ୍କ ଉଦ୍ୟୋଗରେ କାମ କରି ମହିଳା ମାନେ କିଛି କିଛି ରୋଜଗାର କରିପାରୁଛନ୍ତି । ହାତପାହାନ୍ତାରେ କାମ ମିଳୁଥିବାରୁ ଖୁସି ପ୍ରକାଶ କରିଛନ୍ତି ମହିଳା କର୍ମଚାରୀ । ।

ମାତ୍ର ୧ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ଦେବାଶିଷଙ୍କର ଏହି ଉଦ୍ୟୋଗ ଏବେ ୧୦ ଲକ୍ଷ ଟଙ୍କାରେ ପହଂଚିଛି । ମେସିନ୍ ସାହାଯ୍ୟରେ ତିଆରି ହେଉଛି ଧୂପକାଠୀ ଓ ସଞ୍ଜ ସଳିତା । ସ୍ଥାନୀୟ ଅଂଚଳର କିଛି ଆଗ୍ରହୀ ଲୋକଙ୍କୁ ମଧ୍ୟ ସେ ମେସିନ୍ ଯୋଗାଇଦେବା ସହ ଧୂପକାଠୀ ଓ ସଞ୍ଜ ତିଆରି କରିବା ପାଇଁ କଂଚାମାଲ ଯୋଗାଉଛନ୍ତି । ସେମାନଙ୍କ ଠାରୁ ଉତ୍ପାଦିତ ସାମଗ୍ରୀ ଆଣି ପାରିଶ୍ରମିକ ମଧ୍ୟ ଦେଉଛନ୍ତି । ଆବଶ୍ୟକ ହେଉଥିବା କଂଚାମାଲ ସବୁ କଲିକତାରୁ ଆଣିବାକୁ ପଡ଼ିଥାଏ । ପାଇନଆପଲ, ରଜନୀଗନ୍ଧା, ଚନ୍ଦନ, ମୋଗରା, ଚମ୍ପା ଭଳି ସୁଗନ୍ଧିତ ଧୂପ ତିଆରି କରୁଛନ୍ତି ଦେବାଶିଷ ।

ଦେବାଶିଷଙ୍କ ଉଦ୍ୟୋଗରୁ ପ୍ରସ୍ତୁତ ହେଉଥିବା ସାମଗ୍ରୀ କେନ୍ଦ୍ରାପଡ଼ା ଓ ସ୍ଥାନୀୟ ବଜାର ସହ ଜଗତସିଂହପୁର, କଟକ ଜିଲ୍ଲାକୁ ବି ବିକ୍ରି ପାଇଁ ପଠାଯାଉଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ବ୍ୟବସାୟୀ ମାନେ ଆସି ଉତ୍ପାଦିତ ସାମଗ୍ରୀ କିଣିନେଉଛନ୍ତି । ଦେବାଶିଷଙ୍କ ଏଭଳି ଉଦ୍ୟମ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।